ଅଭିନେତା ଶ୍ରୀତମ ଦାସ ହେଲେ ବିଜେପିର କଟକ ମେୟର ପ୍ରାର୍ଥୀ

add-all

କଟକ: ବିଜେପିର କଟକ ମହାନଗର ନିଗମ(ସିଏମସି) ମେୟର ପ୍ରାର୍ଥୀଙ୍କୁ ନେଇ ଜାରି ରହିଥିବା ଆକଳନ ଏକ ପ୍ରକାର ଭିନ୍ନ ହୋଇଛି। ଆଜି ବିଜେପି ସିଏମସି ମେୟର ପ୍ରାର୍ଥୀ ଘୋଷଣା କରିଛି। ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। କଟକରୁ ମେୟର ପ୍ରାର୍ଥୀ ଭାବେ ସେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ।

ଶ୍ରୀତମ ଦାସ ୨୦୧୪ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ଏହାପରେ ଦୀର୍ଘଦିନ ଧରି ବିଜେପିରେ ସକ୍ରିୟ ଅଛନ୍ତି। ନିର୍ବାଚନ ପ୍ରଚାର ସମୟରେ ସେ ବିଜେପିର ଷ୍ଟାର୍ ପ୍ରଚାରକ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ଏହାଛଡ଼ା ସେ ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏସନର ବି ସଂପାଦକ ଅଛନ୍ତି।

ଉଚ୍ଚଶିକ୍ଷିତ ଶ୍ରୀତମ ଦାସ ଆଲବମରେ ନାୟକ ଭାବେ ପରିଚିତ ହୋଇଥିଲେ। ତେବେ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ଜିତେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ସାବିତ୍ରୀ’ରେ ପ୍ରଥମେ ନାୟକ ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ଶ୍ରୀତମ୍ ଦାସଙ୍କ ମୁକ୍ତିଲାଭ କରିଥିବା ପ୍ରଥମ ଛବି ଥିଲା ‘ଜୀବନସାଥୀ’। ୧୯୯୭ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଜରିଆରେ ଓଲିଉଡରେ ଇନିଂସ ଆରମ୍ଭ କରିଥିଲେ ଆଜିକାର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ୍ ଦାସ। ଏହାର ନିର୍ମାତା ହେଲେ ସୁବାସ ରାଉତ ଓ ନିର୍ଦ୍ଦେଶକ ଥିଲେ ଜ୍ୟୋତି ପ୍ରକାଶ। ଏହାପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି। ଶ୍ରୀତମ୍ ଦାସ ‘ତୁ ଥା ମୁଁ ଯାଉଛି ରୁଷି’ ଓ ‘ଦିଓ୍ଵାନା ହେଲି ତୋ’ପାଇଁ’ ଶୀର୍ଷକରେ ଦୁଇଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି। ଏବେ ଶ୍ରୀତମ୍ ‘ମହାବାହୁ’ ଟାଇଟଲରେ ଏକ ନୂଆ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଉଥିବା ଜଣାଯାଇଛି। ପୂର୍ବରୁ ବ୍ୟାଙ୍କ ଅଫିସର ସଂଘର ନେତା ଦୁର୍ଯୋଧନ ଲେଙ୍କାଙ୍କୁ ବିଜେପି ମେୟର ପ୍ରାର୍ଥୀ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଥିଲା।

ad-week
Leave A Reply

Your email address will not be published.