୫୦୦ କିଲୋଗ୍ରାମର ବୋମା ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟୁ

add-all

କିଭ୍: ୟୁକ୍ରେନ୍‌ର ସୁମି ସହରରେ ଏକ ଆବାସିକ କୋଠାରେ ଏକ ୫୦୦ କିଲୋଗ୍ରାମର ବୋମା ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ରୁଷ ସେନା ଏହି ବୋମା ପକାଇଛି। ୟୁକ୍ରେନ୍‌ର ସଂସ୍କୃତି ଓ ସୂଚନା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ଗତକାଲି ରାତିରେ ରୁଷ ସେନା ମାନବିକତା ବିରୋଧରେ ଆଉ ଏକ ଅପରାଧ ଘଟାଇଛି। ସେମାନେ ଏକ ଆବାସିକ କୋଠାରେ ଏକ ୫୦୦ କେଜିର ବୋମା ପକାଇଥିଲେ। ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇସାରିଛି। ଅନ୍ୟପକ୍ଷରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଅନ୍ୟ ଏକ ୫୦୦ କେଜି ବିଶିଷ୍ଟ ବୋମାର ଫଟୋ ଟ୍ୱିଟ୍‌ କରିଛନ୍ତି। ଏହି ବୋମାକୁ ରୁଷ ସେନା ପକ୍ଷରୁ ଚେର୍ନିହାଇଭରେ ପକାଯାଇଥିଲା। କିନ୍ତୁ ତାହା ବିସ୍ଫୋରଣ ହୋଇ ନଥିଲା। ଏହାକୁ ମଧ୍ୟ ଏକ ଆବାସିକ କୋଠାକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିଲା।
ଏହି ଟ୍ୱିଟ୍‌ରେ ଦିମିତ୍ରୋ କୁଲେବା ଆହୁରି ଲେଖିଛନ୍ତି, ରୁଷ ସେନା ଆମ ଦେଶରେ ନିରୀହ ଲୋକଙ୍କୁ ହତ୍ୟା କରୁଛି। ଛୋଟ ଛୁଆଙ୍କୁ ବି ସେମାନେ ଛାଡ଼ୁ ନାହାନ୍ତି। ରୁଷର ଏହି ବର୍ବୋରଚିତ କାର୍ଯ୍ୟରୁ ଆମକୁ ଉଦ୍ଧାର କର। ଆକାଶ ମାର୍ଗକୁ ବନ୍ଦ କର। ରୁଷ ସେନା ଯୁଦ୍ଧ ବିମାନକୁ ମୁକାବିଲା କରିବାକୁ ଆମକୁ ସାହାଯ୍ୟ କର।
ୟୁକ୍ରେନ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ରୁଷର ଯୁଦ୍ଧ ବିମାନ ଗୁଡ଼ିକ ଦେଶର ପୂର୍ବ ଓ କେନ୍ଦ୍ରାଞ୍ଚଳରେ ରାତି ତମାମ ବୋମାମାଡ଼ କରିଛନ୍ତି। ଏଥିରୁ କେତେକ ଆବାସିକ କୋଠା ଓ ତୈଳ ଡିପୋ ଉପରେ ପଡ଼ିଛି। ତେବେ ଏଥିରେ କେତେ ହତାହତ ହୋଇଛନ୍ତି, ତା’ର ତଥ୍ୟ ଦିଆଯାଇ ନାହିଁ।

ad-week
Leave A Reply

Your email address will not be published.