
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦୀର୍ଘ ୨ ବର୍ଷ ହେଲା ବନ୍ଦ ରହିଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ। ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ସବୁ ରୁଟରେ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ଆଜି ଭାରତ ସରକାର ଘୋଷଣା କରିଛନ୍ତି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ସମଗ୍ର ବିଶ୍ୱରେ ଏବେ ଟିକାକରଣ ମାତ୍ରା ଯଥେଷ୍ଟ ଅଧିକ ରହିଛି। ଏହାକୁ ବିଚାର କରି ଓ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବା ପରେ ଭାରତ ସରକାର ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆସନ୍ତା ୨୭ ତାରିଖରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଏହାପରେ ଭାରତ ବିଭିନ୍ନ ରାଷ୍ଟ୍ର ସହ କରିଥିବା ଏୟାର ବବଲ୍ସ ଚୁକ୍ତି ମଧ୍ୟ ରଦ୍ଦ ହୋଇଯିବ। ଏହାଦ୍ୱାରା ବିମାନ ଚଳାଚଳ କ୍ଷେତ୍ର ନୂଆ ଉଚ୍ଚରେ ପହଞ୍ଚିବ ବୋଲି ମନ୍ତ୍ରୀ ସିନ୍ଧିଆ ଆଶା କରିଛନ୍ତି।
ବିମାନ ସେବା ଆରମ୍ଭ ହେବାକୁ ଥିଲେ ହେଁ ସବୁ ସ୍ଥାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ଗାଇଡ ଲାଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ମହାମାରୀ କରୋନା ସଂକ୍ରମଣ ଯୋଗୁ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେଲା ବିଦେଶକୁ ନିୟମିତ ବିମାନ ସେବା ବନ୍ଦ ରହିଛି।
କେବଳ ବାୟୋବବଲ୍ସ ଓ ସ୍ୱତନ୍ତ୍ର ରୁଟରେ ବିମାନ ଚଳାଚଳ କରୁଛି। ମହାମାରୀ କରୋନା ପାଇଁ ୨୦୨୦ ମସିହା ମାର୍ଚ୍ଚ ୨୩ରେ ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିଲା। ତେବେ ଏୟାର ବବଲ୍ସ ଚୁକ୍ତି ଅନୁସାରେ ଭାରତ ଓ ୪୦ଟି ଦେଶ ମଧ୍ୟରେ ବିମାନ ସେବା ଜାରି ରହିଥିଲା।
ଚଳିତ ବର୍ଷ ନଭେମ୍ବର ୨୬ରେ କେନ୍ଦ୍ର ସରକାର ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ସଂକ୍ରମଣ ବଢ଼ିବାରୁ ପ୍ରଥମେ ଜାନୁଆରୀ ୩୧ ଓ ପରେ ଫେବୃଆରୀ ୨୮ ଯାଏ ବିଦେଶକୁ ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ।