ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନାରୀଶକ୍ତିଙ୍କୁ ସମ୍ବର୍ଦ୍ଧନା

add-all

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ରାଉରକେଲାସ୍ଥିତ ପିଏ ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ସମସ୍ତ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ମନେପକାଇଥିଲେ।

‘‘ମହିଳାମାନେ ଆଜି ବିଭିନ୍ନ କ୍ଷେତ୍ରରେ ଆଗକୁ ପ୍ରତିଷ୍ଠିତ ହୋଇପାରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଅନେକ ମହିଳା ଆଜି କ୍ରୀଡ଼ା, ସମାଜ ସେବା, ପରିମଳ ପରିଚାଳନା, କୃଷି ଆଦି କ୍ଷେତ୍ରରେ ଯୋଡ଼ି ହୋଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହାସହ ଜିଲ୍ଲାରେ ମହିଳା ଏବଂ ଶିଶୁବିକାଶ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେଇ ମହିଳାମାନଙ୍କ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ମାନଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ଏବଂ ଅନ୍ୟାନ୍ୟ ପରୀକ୍ଷା ସେବା ଯୋଗାଇଦେବା ପାଇଁ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଚାଲିଛି। ସେହିପରି ସାନ ସାନ ପିଲାମାନଙ୍କର ମାନସିକ ଓ ଶାରୀରିକ ବିକାଶ ପାଇଁ ଅଙ୍ଗନବାଡ଼ି ଜରିଆରେ ସ୍ପିରୁଲିନା ଚିକି ଏବଂ ମାଣ୍ଡିଆ ଲଡ଼ୁ ମିକ୍ସ ବଣ୍ଟନ କରାଯାଉଛି।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନାରୀଶକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ମାଲେସିଆରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରସଂଶିତ ହୋଇଥିବା ରାଉରକେଲାର କୁନି ଝିଅ ପୁଷ୍ପଲତା ଜେନାଙ୍କୁ ସମ୍ମାନିତ କରାଯାଇଥିଲା।

ଏହାସହ ଲେଫ୍ରିପଡା ସିଡିପିଓ କିରଣବାଳା ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ ସିଡିପିଓ ଭାବେ ସମ୍ମାନିତ କରାଯାଇଥିଲା। ଶିଶୁ ବିବାହ ନିରୋଧ କ୍ଷେତ୍ରରେ କାମ କରୁଥିବା ଲହୁଣୀପଡା ସିଡିପିଓ ମିନାକ୍ଷୀ ନାୟକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ସେହିପରି କୋଇଡ଼ାର ଦମୟନ୍ତୀ ପାତ୍ରଙ୍କୁ ଶ୍ରେଷ୍ଠ ସୁପରଭାଇଜର, ଟାଙ୍ଗରପାଲିର ପଲ୍ଲବୀ ନାୟକଙ୍କୁ ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ, ବଡ଼ଗାଁର ସୀମା ବେହେରା ଓ ବଣାଇଁର ଲିପସା ମହାନ୍ତିଙ୍କୁ ଶ୍ରେଷ୍ଠ ସଖୀ ଭାବେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମହିଳା ସଶକ୍ତିକରଣକୁ ନେଇ ବିଭିନ୍ନ ପ୍ରଦର୍ଶନୀ କରାଯାଇଥିଲା।

ଚଳିତ ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍ ରହିଛି ‘ବ୍ରେକ୍ ଦ ବାୟସ୍ ବା ବିଭେଦତାର ଧାରା ଭାଙ୍ଗିବା’। ଏହାକୁ ନେଇ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ଜିଲ୍ଲାପାଳଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ଅତିଥି ଏବଂ ମହିଳାମାନେ ଏହି ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ।

ଏହି ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.