ଚାଇନାକୁ ଧମକ ଦେଲା ଆମେରିକା, କହିଲା ରୁଷକୁ ସହଯୋଗ କଲେ ଭୋଗିବ ପରିଣାମ

add-all

ୱାଶିଂଟନ: ଗୋଟିଏ ପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଚାଇନାର ଏଣ୍ଟ୍ରୀ ସମସ୍ତଙ୍କୁ ଚକିତ କରିଛି। ରୁଷର ଯୁଦ୍ଧଖୋର ଆଚରଣକୁ ରୋକିବା ପାଇଁ ଆମେରିକା ସମେତ ପଶ୍ଚିମ ଦେଶଗୁଡ଼ିକ କଟକଣା ଲଗାଇଛନ୍ତି। ହେଲେ ଚାଇନା ସରକାର ରୁଷର ସହାୟତା କରିବାକୁ ଆଗେଇ ଆସିଥିବା ଖବର ମିଳିଛି। ଏହାକୁ ଶୁଣି ଆମେରିକା ଆଜି ସିଧାସଳଖ ଚାଇନାକୁ ଧମକ ଦେଇଛି। କଟକଣାକୁ ବାଇପାସ କରିବା ପାଇଁ ରୁଷକୁ ଯଦି ଚାଇନା କୌଣସି ପ୍ରକାରର ସହାୟତା କରିବ, ତା’ହେଲେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ ବୋଲି ଆମେରିକା କହିଛି।
ଯୁଦ୍ଧ ସ୍ଥିତି ଉପରେ ଆଲୋଚନା କରିବାକୁ ଆମେରିକା ଓ ଚାଇନା ମଧ୍ୟରେ ରୋମରେ ବୈଠକ ହେବାର ଅଛି। ଏହାପୂର୍ବରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସୁଲ୍ଲିଭାନ ଚାଇନକୁ ଚେତାବାନୀ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନରେ ହମଲା ପାଇଁ ରୁଷ ଉପରେ କଟକଣା ଲଗା ଯାଇଛି। ଏହି କଟକଣାକୁ ବାଇପାସ୍‌ କରିବା ପାଇଁ ଚାଇନା ଯଦି ରୁଷକୁ ସହାୟତା କରିବ, ତା’ହେଲେ ନିଶ୍ଚିତ ଭାବେ ବେଜିଂକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ।
ୟୁକ୍ରେନ ଉପରେ ହମଲା କରିବା ପରେ ମସ୍କୋ ପକ୍ଷରୁ ବେଜିଂକୁ ବାରମ୍ବାର ସାମରିକ ସହାୟତା ମଗାଯାଉଥିବା ଖବର ମିଳିଛି। ଆମେ ସିଧାସଳଖ ଓ ବ୍ୟକ୍ତିଗତ ଭାବେ ଚାଇନାକୁ କୌଣସି ପ୍ରକାରର ସହାୟତା ରୁଷକୁ ନ କରିବାକୁ କହିଛୁ। ଯଦି ଚାଇନା କୌଣସି ପ୍ରକାରର ସହାୟତା କରିବ, ତା’ହେଲେ ତା’କୁ ପରିଣାମ ଭୋଗିବାକୁ ପଡ଼ିବ। ରୁଷ ଉପରେ ଲାଗିଥିବା ଆର୍ଥିକ କଟକଣା ଜନିତ କଷ୍ଟକୁ ଲାଘବ କରିବାକୁ ବିଶ୍ୱର କୌଣସି ଦେଶ ପ୍ରୟାସ ନ କରନ୍ତୁ।
ବିଶ୍ୱର କୌଣସି ସ୍ଥାନରେ କିମ୍ବା କୌଣସି ଦେଶରେ ଯଦି ରୁଷ ଉପରେ ଲାଗିଥିବା କଟକଣାକୁ ବାଇପାସ କରିବାକୁ ଚେଷ୍ଟା କରାଯିବ, ତା’ହେଲେ ଏହାକୁ କେବେ ହେଲେ ସହ୍ୟ କରାଯିବ ନାହିଁ। ରୁଷର ଯୁଦ୍ଧଖୋର ଆଚରଣ ଆଦୌ ଠିକ ନୁହେଁ। ତେଣୁ ରୁଷକୁ କେହି ବି ଯେମିତି ସହଯୋଗ ନ କରିବେ, ସେଥିପାଇଁ ସବୁ ପ୍ରକାରର ପଦକ୍ଷେପ ନେବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.