ଦଶମ ଶ୍ରେଣୀ ଓଡ଼ିଆ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ପରେ ଯାଞ୍ଚ ପାଇଁ ବିଶେଷଜ୍ଞ କମିଟି ଗଠନ କଲା ସିବିଏସ୍‌ଇ

add-all

ନୂଆଦିଲ୍ଲୀ: ଓଡ଼ିଆ ଭାଷା ଶିକ୍ଷା‌ ପ୍ରତି ସ୍କୁଲ ପିଲାଙ୍କ ମନରେ କିଭଳି ଆଗ୍ରହ ସୃଷ୍ଟି ନହେବ, ସେଥିପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ରୀତିମତ ଯୋଜନା ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ହୋଇଥିଲା ଯେ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା।

ମଲଟିପୁଲ୍‌ ଚଏସ୍‌ ବିଶିଷ୍ଟ ପ୍ରଶ୍ନଗୁଡ଼ିକରେ ଯେଉଁ ସବୁ ଉତ୍ତର ଉଲ୍ଲେଖ ରହିଥିଲା ସେଥିରୁ ପାଖାପାଖି ୨୦ଟି ଭୁଲ୍‌ ଥିଲା। ଯେଉଁଥିପାଇଁ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ପଡ଼ି ଉତ୍ତର ଲେଖିଥିଲେ। ଏମିତି କିଛି ପ୍ରଶ୍ନ ରହିଥିଲା ଯାହାକୁ ପିଲାମା‌ନେ ବୁଝି ପାରି ନ ଥିଲେ। ତେବେ ଏଭଳି ଅଭିଯୋଗ ହେବା ପରେ ଏହାର ତଦନ୍ତ କରାଯିବ ବୋଲି କହିଛି ସିବିଏସଇ। ପ୍ରଶ୍ନପତ୍ରରେ‌ ହୋଇଥିବା ତ୍ରୁଟିର ଯାଞ୍ଚ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ବିଶେଷଜ୍ଞ କମିଟିର ରିପୋର୍ଟ ଆଧାରରେ ୨୪ ଘଣ୍ଟା ମଧ୍ୟରେ ବୋର୍ଡ ଦ୍ୱାରା ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ସିବିଏସଇ ପକ୍ଷରୁ ଟ୍ବିଟ କରି କୁହାଯାଇଛି।

ତେବେ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ନେଇ ଆରୋପ ଲଗାଯିବା ସହ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁଙ୍କ ପରି ଓଡ଼ିଶାର ମହାନ ବିପ୍ଳବୀଙ୍କ ବିଷୟରେ ଭୁଲ୍‌ ତଥ୍ୟ ଉପସ୍ଥାପନା କରାଯାଇଥିଲା ବୋଲି ଅଭିଯୋଗ କରାଯାଇଥିଲା। ଏହା ସହ ଛାତ୍ରଛାତ୍ରୀ ବହୁ କଷ୍ଟରେ ପ୍ରଶ୍ନଗୁଡ଼ିକୁ ବୁଝି ସଠିକ୍‌ ଉତ୍ତର ଲେଖିଥିଲେ ମଧ୍ୟ ସେମାନଙ୍କୁ ଉଚିତ୍‌ ମାର୍କ ମିଳିନାହିଁ। ଭୁଲ୍‌ ପ୍ରଶ୍ନପତ୍ର ସାଙ୍ଗକୁ ଠିକ୍‌ ମୂଲ୍ୟାୟନ ହୋଇ ନ ଥିବାରୁ ଛାତ୍ରଛାତ୍ରୀଙ୍କର ମାର୍କ କମିଯାଇଥିବା ଅଭିଭାବକ ଅଭିଯୋଗ ଆଣିଥିଲେ। ଏବେ ଏହାର ସମାଧାନ ପାଇଁ ବାଟ ବାହାର କରିଛି ସିବିଏସ୍‌ଇ।

ad-week
Leave A Reply

Your email address will not be published.