
ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଦେଖାଯାଇଥିବା ହିଜାବ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି କର୍ଣ୍ଣାଟକା ହାଇକୋର୍ଟ ସ୍କୁଲରେ ହିଜାବ ପିନ୍ଧିବା ଉପରେ ଲାଗିଥିବା ବ୍ୟାନକୁ କାଏମ ରଖିଥିଲେ। ଏହାପରେ ଉଡୁପିର ୬ ଜଣ ମୁସଲିମ ଶିକ୍ଷାର୍ଥୀ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୁସଲିମ ଛାତ୍ରୀ ନିବା ନାଜଙ୍କ ପକ୍ଷରୁ ମଧ୍ୟ ଗୋଟିଏ ସ୍ପେଶାଲ ଲିଭ ପିଟିସନ ଆଗତ କରାଯାଇଛି।
ଆବେଦନକାରୀ କହିଛନ୍ତି, କର୍ଣ୍ଣାଟକା ଶିକ୍ଷା ଆଇନ ଶିକ୍ଷାର୍ଥୀଙ୍କ ପାଇଁ କୌଣସି ଡ୍ରେସ କୋଡ ବାଧ୍ୟତାମୂଳକ କରିନାହିଁ। ସେହିପରି ଗୋନୀୟତାର ଅଧିକାର ମଧ୍ୟରେ ହିଜାବ ଆସୁଛି। ଏହାକୁ ହାଇକୋର୍ଟ ବିଚାରକୁ ନେଇନାହାନ୍ତି। ଧର୍ମର ସ୍ୱାଧୀନତା ଓ ବିବେକର ସ୍ୱାଧୀନତା ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବାରେ ହାଇକୋର୍ଟ ତ୍ରୁଟି କରିଛନ୍ତି।
ଗୋଟିଏ ନିର୍ଦ୍ଦଷ୍ଟ ଧର୍ମକୁ ଅନୁସରଣ କରୁଥିବା ଲୋକଙ୍କ ବିବେକର ସ୍ୱାଧୀନତା ନାହିଁ ବୋଲି କୋର୍ଟ ହୃଦୟଙ୍ଗମ କରିଛନ୍ତି। ତେଣୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଆବେଦନକାରୀମାନେ ଅନୁରୋଧ କରିଛନ୍ତି।
ହିଜାବ ବିବାଦ ମାମଲରେ ହୋଇଥିବା ସମସ୍ତ ଆବେଦକୁ ଆଜି କର୍ଣ୍ଣାଟକା ହାଇକୋର୍ଟ ଖାରଜ କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ରିତୁ ରାଜ ଅବସ୍ତି, ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତ ଓ ଜଷ୍ଟିସ ଜେଏମ ଖାଜିଙ୍କ ବେଞ୍ଚ ଆବେଦନକୁ ଖାରଜ କରି କହିଛନ୍ତି ଯେ ହିଜାବ ଇସଲାମ ଧର୍ମର ଅଂଶ ବିଶେଷ ନୁହେଁ। ଧର୍ମୀୟ ପ୍ରଥାରେ ହିଜାବ ବାଧ୍ୟତାମୂଳକ ନୁହେଁ।
ସ୍କୁଲରେ ପ୍ରଚଳିତ ୟୁନିଫର୍ମକୁ ପିନ୍ଧିବାକୁ କେହି ବି ମନା କରିପାରିବେ ନାହିଁ। ନିୟମ ପ୍ରଣୟନ କରିବାର ଅଧିକାର କର୍ଣ୍ଣାଟକା ସରକାରଙ୍କ ରହିଛି। ତେଣୁ ହିଜାବ ଉପରେ ସରକାର ଲଗାଇଥିବା ବ୍ୟାନକୁ ବଦଳାଇବାର କୌଣସି ଆବଶ୍ୟକ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ କହିଥିଲେ ଯେ “ପିଲାମାନଙ୍କ ପାଇଁ ପାଠପଢ଼ା ଗୁରୁତ୍ୱପୂର୍ଣ୍ଣ ବ୍ୟାପାର। ସମସ୍ତେ ହାଇକୋର୍ଟଙ୍କ ରାୟକୁ ମାନିବା ଓ ଶାନ୍ତିଶୃଙ୍ଖଳା କାଏମ ରଖିବା।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ମାସରେ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା। ଏପରିକି କର୍ଣ୍ଣାଟକାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଏ ବିବାଦ ବ୍ୟାପୀ ଥିଲା।