ଭାରତର ବିଦେଶ ନୀତିକୁ ପ୍ରଶଂସା କଲେ ଇମ୍ରାନ

add-all

ନୂଆଦିଲ୍ଲୀ: ଚୌକି ହରାଇବା ବେଳେ ମନେ ପଡିଲା ଭାରତ କଥା। ସଙ୍କଟ ବେଳେ ଭାରତକୁ ପ୍ରଶଂସା କଲେ ପାକିସ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଭାରତର ସ୍ୱତନ୍ତ୍ର ବିଦେଶ ନୀତିକୁ ସେ ପ୍ରଶଂସାରେ ପୋତି ପକାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ କଡା ସମାଲୋଚନା କରୁଥିବା ଇମ୍ରାନ୍‌ ଏବେ ଖୈବର-ପଖତୁନଖାବରେ ଏକ ଦଳୀୟ ସମାବେଶକୁ ସମ୍ବୋଧନ କରି ଭାରତକୁ ହୃଦୟ ଖୋଲା ପ୍ରଶଂସା କରିଛନ୍ତି। ବିଶେଷ କରି ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଭାରତ ଆପଣେଇ ଥିବା ବିଦେଶ ନୀତିକୁ ସେ ସଲାମ କରିଛନ୍ତି।
ସେ କହିଛନ୍ତି, ଆମେରିକା ଓ ୟୁରୋପ ରୁଷ ଉପରେ କଟକଣା ଲଗାଇଛନ୍ତି। କିନ୍ତୁ ଭାରତ ଚାପମୁକ୍ତ ହୋଇ ରୁଷରୁ ଅଶୋଧିତ ତୈଲ ଆମଦାନୀ କରୁଛି। ଭାରତ କ୍ୱାଡ ସମୂହ ଦେଶର ସଦସ୍ୟ ଥାଇ ମଧ୍ୟ ସେ ନିଜକୁ ରୁଷ-ୟୁକ୍ରେନ୍‌ ଯୁଦ୍ଧ ମାମଲାରେ ନିରପେକ୍ଷ ଭୂମିକାରେ ରଖିପାରିଛି। ତେଣୁ ଆମେରିକାର ପ୍ରତିବନ୍ଧକ ସତ୍ତ୍ୱେ ବି ଭାରତ ରୁଷ ଠାରୁ ଅଶୋଧିତ ତୈଳ କିଣୁଛି।
କ୍ୱାଡର ଅନ୍ୟ ରାଷ୍ଟ୍ରଗୁଡିକ ରୁଷକୁ ବିରୋଧ କରୁଛନ୍ତି କିନ୍ତୁ ଭାରତ ଜାତିସଂଘରେ ରୁଷ ବିରୋଧୀ ପ୍ରସ୍ତାବ ଭୋଟିଂରୁ ଦୂରେଇ ରହୁଛି। ଭାରତର ବିଦେଶ ନୀତି ଭାରତର ଲୋକଙ୍କ ହିତ ପାଇଁ ବୋଲି କହିଛନ୍ତି ଇମ୍ରାନ । ଏହି ରାଲିରେ ଇମ୍ରାନ ଆହୁରି କହିଛନ୍ତି, ‘ମୁଁ କାହା ଆଗରେ ନଇଁନି ଏବଂ ନିଜ ଦେଶକୁ ମଧ୍ୟ କାହା ଆଗରେ ନଇଁବାକୁ ଦେବି ନାହିଁ।’
ଇମ୍ରାନଙ୍କ ହଠାତ୍‌ ଏଭଳି ଭାରତ ପ୍ରୀତି ପଛରେ ରହିଛି ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ । ଇମ୍ରାନ ସରକାର ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଚର୍ଚ୍ଚା ହେଉଛି ଯେ, ଶାସକ ଦଳର କିଛି ସାଂସଦ ସରକାର ବିରୋଧରେ ଭୋଟ୍‌ ଦେଇପାରନ୍ତି। ଆସନ୍ତା ୨୮ତାରିଖରେ ସଂସଦରେ ଇମ୍ରାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବାର ସମ୍ଭାବନା ରହିଛି। ତେଣୁ ଏହି ସଙ୍କଟ ପରିସ୍ଥିତିରେ ଭାରତର ବିଦେଶୀ ନୀତିକୁ ପ୍ରଶଂସା କରି ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଜନସମର୍ଥନ ଯୋଗାଡ ପାଇଁ ଇମ୍ରାନ ଏପରି କରୁଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.