ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣା ପାଇଁ ରାଜ୍ୟ ସରକାର ଦାୟୀ: ବିଜୟ ମହାପାତ୍ର

add-all

ଭୁବନେଶ୍ୱର: ଶ୍ରୀମନ୍ଦିର ରୋଷଘର ବିଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ମଧ୍ୟ ସେ ଏନେଇ ସମାଲୋଚନା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲେ। ତା’ ସତ୍ତ୍ୱେ ଏଭଳି ଘଟଣା ଘଟିଲା ବୋଲି ସେ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜୟ ଦାବି କରିଛନ୍ତି।

ଜଣେ ଏସ୍‌ପି ରାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବା କଥା। ଘଟଣା ଦିନ କୌଣସି ସୁରକ୍ଷା ଅଧିକାରୀ ନଥିଲେ। ଶ୍ରୀମନ୍ଦିର ସୁରକ୍ଷା ନେଇ ୪ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ୪ଟି କ୍ଷେତ୍ରରେ ଅବମାନନା କରୁଛନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ସ୍ଥାୟୀ ପ୍ରଶାସକ ନିଯୁକ୍ତ କରିନାହାନ୍ତି। ତା’ସହ ଚତୁପାର୍ଶ୍ୱରେ ବିକାଶ ପାଇଁ ସେହି କାମ କରି ହେବ ଯେଉଁଥିରେ କୌଣସି ଆପତ୍ତି ନଥିବ। ଟେମ୍ପଲ ଫଣ୍ଡର ଅଡିଟ ସିଏଜିଙ୍କ ଦ୍ୱାରା ହେଉନାହିଁ। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ଆଣିଛନ୍ତି ବିଜୟ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ସଂସଦରେ ଉଠିବା ପରେ ବି ASI ଓ NMA ଚୁପ ଅଛନ୍ତି। ASI କୌଣସି ଏକ୍ସପର୍ଟ ଟିମ ନପଠାଇ ମଧ୍ୟ ଭୁଲ କରୁଛନ୍ତି। ଗାତ ଖୋଳିବା ସ୍ଥାନରେ ବର୍ତ୍ତମାନ ଟ୍ରକ ଟ୍ରକ ବାଲି ଭର୍ତ୍ତି କରାଯାଉଛି। ଯେହେତୁ ବେଆଇନ କାମ ହୋଇଥିଲା ତେଣୁ ବାଲି ଭର୍ତ୍ତି କରାଯାଉଛି ବୋଲି ବିଜୟ କହିଛନ୍ତି।

ଜିଲ୍ଲାପାଳଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଦେବା ବେଆଇନ। ଆରଡିସି ସ୍ତରର ଅଫିସର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱରେ ରହିବା କଥା ବୋଲି ସେ କହିଛନ୍ତି। ବିଜୟଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ASI କି NMA ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ad-week
Leave A Reply

Your email address will not be published.