
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ୧ମାସରୁ ଅଧିକ ହେଲାଣି। ହେଲେ ଥମିନି ଆକ୍ରମଣ। ଦୁଇ ଦେଶର ମୁଖ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ ଏମଧ୍ୟରେ ଅନେକ ସାଧାରଣ ଲୋକ ଓ ସୈନ୍ୟଙ୍କ ଜୀବନ ଗଲାଣି। ଦିନକୁ ଦିନ ଆକ୍ରମଣ ବଢ଼ୁଥିବା ବେଳେ ଆଜି ପୁଣି ପୂର୍ବ ୟୁକ୍ରେନରେ ଥିବା ରେଳ ଷ୍ଟେସନରେ ୨ଟି କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷ। ଏହି କ୍ଷେପଣାସ୍ତ୍ର ମାଡ଼ରେ ୩୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ଜଣ ଆହତ ହୋଇଛନ୍ତି।
ସାଧାରଣ ନାଗରିକମାନେ ଦେଶର ନିରାପଦ ସ୍ଥାନକୁ ଯିବା ପାଇଁ ରେଳ ଷ୍ଟେସନକୁ ଆସିଥିଲେ। ଏହି ସମୟରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା ବୋଲି ରାଜ୍ୟ ରେଳ କମ୍ପାନି କହିଛି। ରୁଷର ଦୁଇଟି କ୍ଷେପଣାସ୍ତ୍ର କ୍ରାମାଟରସ୍କରେ ଥିବା ରେଳ ଷ୍ଟେସନ ଉପରେ ପଡ଼ିଛି। ଯୁଦ୍ଧ ଆରମ୍ଭରୁ ଆକ୍ରମଣର ଶିକାର ହୋଇଥିବା ଏହି ରେଳ ଷ୍ଟେସନରୁ ଅନେକ ବିଦେଶୀ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏବେ ୟୁକ୍ରେନବାସୀ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଏହି ଷ୍ଟେସନରୁ ଟ୍ରେନରେ ଚଢ଼ୁଥିବା ବେଳେ ରୁଷ ଆକ୍ରମଣ କରିଛି। ଏହି ଆକ୍ରମଣ ପାଇଁ ୩୦ଜଣଙ୍କ ଜୀବନହାନି ଘଟିଛି।
ଅନ୍ୟପକ୍ଷରେ ୟୁକ୍ରେନୀୟ ସହରଗୁଡ଼ିକରେ ଆକ୍ରମଣ କରିବା ବେଳେ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇ ରୁଷ୍ ବିପୁଳ ସୈନ୍ୟ ହରାଇଥିବା କଥା ସ୍ବୀକାର କରିଛି। ‘ସ୍କାଏ ନିଉଜ୍’ ସହିତ ଆଳାପ ବେଳେ କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ ଦୁଃଖ ପ୍ରକାଶ କରି କହିଛନ୍ତି, ଆମେ ଉଲ୍ଲେଖନୀୟ ସଂଖ୍ୟକ ସୈନ୍ୟ ହରାଇଛୁ। ଏହା ଆମ ପାଇଁ ବଡ଼ ଦୁଃଖଦ ଘଟଣା।