ନିଜକୁ ଦେବାଳିଆ ଘୋଷଣା କଲା ଶ୍ରୀଲଙ୍କା

youtube

କଲମ୍ବୋ: ଦିନକୁ ଦିନ ଶ୍ରୀଲଙ୍କାରେ ଘନେଇବାରେ ଲାଗିଛି ଆର୍ଥିକ ସଙ୍କଟ। ଋଣ ବୋଝରେ ପୋତି ହୋଇଗଲାଣି ଦେଶ। ଖାଦ୍ୟ ଓ ଅତ୍ୟାବାଶ୍ୟକ ସାମଗ୍ରୀକୁ ନେଇ ଏଠାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଦରଦାମ୍‌ ହୁ ହୁ ହୋଇ ବଢ଼ି ଚାଲିଛି। ଏହାରି ଭିତରେ ନିଜକୁ ଦେବାଳିଆ ଘୋଷଣା କରିଛି ଶ୍ରୀଲଙ୍କା।
ଛାର ଖାର ହୋଇଗଲାଣି ସୁନାର ଲଙ୍କା। ସିଂହଳ ଦେଶରେ ଏବେ ହାହାକାର ପରିସ୍ଥିତି। ଦେଶ ପିଠିରେ ଲଦା ହୋଇଛି ବିଦେଶୀ ଋଣ ବୋଝ। ଅନ୍ୟ ଦେଶରୁ ୫,୧୦୦ କୋଟି ଡଲାର ଋଣ କରିଛି ଶ୍ରୀଲଙ୍କା। ଏହି ଋଣ ସୁଝିବାକୁ ସିଂହଳ ଦେଶ ପାଖରେ ଆଉ ସମ୍ଭଳ ନାହିଁ। ହାତ ଟେକି ଦେଇଛି ଏହି ଦେଶ। ବିଦେଶୀ ଋଣ ସୁଝି ପାରିବିନି କହି ଏଦେଶ ନିଜକୁ ଦେବାଳିଆ ଘୋଷଣା କରିଛି।
ଶ୍ରୀଲଙ୍କା ଦେଶର ଅର୍ଥନୈତିକ ପରିସ୍ଥିତିକୁ ସୁଧାରିବା ପାଇଁ ଚୀନ ସମେତ ବିଭିନ୍ନ ଦେଶରୁ ଋଣ ଆକାରରେ ୫,୧୦୦ କୋଟି ଡଲାର ଆଣିଛି। ବିଦେଶରୁ ଆଣିଥିବା ଋଣ ଯୋଗୁଁ ଦେଶର ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ (IMF)ରୁ ୱେଲଆଉଟ୍‌ ପ୍ୟାକଜ ମିଳୁପାରୁନି। ଶ୍ରୀଲଙ୍କା ଅର୍ଥମନ୍ତ୍ରୀ ଅନ୍ୟ ଦେଶର ସରକାର ଓ ଅନ୍ୟ କରଦାତାଙ୍କୁ ଏବେ ଆମେ ଋଣ ସୁଝି ପାରିବୁନି ବୋଲି ମଙ୍ଗଳବାର କହିଛନ୍ତି। ଯେଉଁ ଋଣ ଟଙ୍କା ସୁଝିବାକୁ ବାକି ଅଛି ସେଥିପାଇଁ ଅପେକ୍ଷା କରିବାକୁ ପଡିବ ଅବା ଶ୍ରୀଲଙ୍କା ମୁଦ୍ରା ଗ୍ରହଣ କରିବାକୁ ପଡି ବୋଲି ସେ କହିଛନ୍ତି।
ଆର୍ଥିକ ସହାୟତା ପାଇଁ ଆଇଏମ୍‌ଏଫ୍‌ ସହ ଆଲୋଚନା ଜାରି ରହିଛି। ଅନ୍ୟ ଦେଶ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା ନେଇ ଆଶଙ୍କା କରାଯାଉଛି ବୋଲି ଏଠାକାର ସରକାର କହିଛନ୍ତି। ଦେଶରେ ଯାହା ଅର୍ଥ ଅଛି ତାକୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ପାଇଁ ବ୍ୟବହାର କରାଯିବ ବୋଲି ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କର ନୂଆ ଗଭର୍ଣ୍ଣର ନନ୍ଦଲାଲ ବୀରସିଙ୍ଘେ କହିଛନ୍ତି।
ଗତବର୍ଷ ଶ୍ରୀଲଙ୍କା ଅନ୍ୟ ଦେଶମାନଙ୍କ ଠାରୁ ପର୍‌ରା ୩,୫୦୦ କୋଟି ଡଲାରର ଋଣ ନେଇଥିଲା। ତେବେ ଚଳିତ ବର୍ଷ ଏହି ଋଣ ୧୬୦୦ କୋଟି ଡଲାର ଯାଏଁ ବଢ଼ି ୫,୧୦୦ କୋଟି ଡଲାରରେ ପହଞ୍ଚି ଯାଇଛି। ଯାହାକୁ ସୁଝିବା ଶ୍ରୀଲଙ୍କା ପାଇଁ ବର୍ତ୍ତମାନ ପରିସ୍ଥିତିରେ ମୁସକିଲ୍ ହୋଇପଡିଛି।

Leave A Reply

Your email address will not be published.