ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ: ଟେଣ୍ଟ ମାଲିକଙ୍କୁ ହତ୍ୟା

add-all

ଗୋପ: ଗୋପ ଥାନା ବାଲିକନ୍ଦଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।। ଏଠାରେ ଗତକାଲି ରାତିରେ ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ ଘଟିଥିଲା। ଟେଣ୍ଟ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଣେ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପିପିଲି- କୋଣାର୍କ ରାସ୍ତାର ବେଗୁନିଆ ଛକରେ ରାସ୍ତା ଅବରୋଧ କରିଥିବାର ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସ୍ଥାନୀୟ ଏରବଙ୍ଗ ଗାଁର କାଳିଆ ପ୍ରଧାନ ଟେଣ୍ଟ ନେଇ ବାଲିକନ୍ଦଳ ଗାଁରେ ଥିବା ଏକ ବିବାହ ଉତ୍ସବକୁ ଯାଇଥିଲେ। ଗତକାଲି ବରଯାତ୍ରୀ ଡିଜେ ଗାଡ଼ି ନେଇ ବାହାଘର ପ୍ରୋସେସନରେ ଯାଉଥିବା ବେଳେ କାଳିଆଙ୍କ ଟେଣ୍ଟରେ ଲାଗିଥିବା କପଡ଼ା ଚିରି ଯାଇଥିଲା। ଏହାକୁ ନେଇ ଡିଜେ ମାଲିକ ଏବଂ ଟେଣ୍ଟ ମାଲିକଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଡିଜେ ଚାଳକ ଏକ ଭୁଜାଲିରେ କାଳିଆଙ୍କ ବେକକୁ ଆକ୍ରମଣ କରିଥିଲେ। କାଳିଆଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି। ହତ୍ୟା ଘଟଣାକୁ ନେଇ ପିପିଲି କୋଣାର୍କ ରାସ୍ତାର ବେଗୁନିଆ ଛକରେ ମୃତକଙ୍କ ପରିବାର ଏବଂ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା ବି ରାସ୍ତାରୋକ ଓ ଧାରଣାରେ ସାମିଲ ହୋଇଥିବା ଜଣାଯାଇଛି।

ad-week
Leave A Reply

Your email address will not be published.