ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୨୩ ପରୀକ୍ଷାର୍ଥୀ

add-all

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଇଂରାଜୀ ଭାଷାରେ ୨୩ଜଣ ବିଦ୍ୟାର୍ଥୀ କପିକରି ଧରାପଡ଼ିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨୦ଜଣ ନିୟମିତ ବିଦ୍ୟାର୍ଥୀ ହୋଇଥିବାବେଳେ ଅନ୍ୟ ୩ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ରହିଛନ୍ତି।

ମେ ୨ ରେ ଗଣିତ ବିଷୟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ଚଳିତବର୍ଷ ବୋର୍ଡ ନୂତନ ମୂଲ୍ୟାଙ୍କନ ପଦ୍ଧତି ଅନୁଯାୟୀ ଦ୍ୱିତୀୟ ସମ୍ମେଟିଭ ପରୀକ୍ଷା ଅନୁଷ୍ଠିତ ହେଉଛି। ରାଜ୍ୟରେ ୩ ହଜାର ୫୪୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ନିୟମିତ ବର୍ଗରେ ୫ ଲକ୍ଷ ୭୧ ହଜାର ୯୦୯ଜଣ, ରାଜ୍ୟ ମୁକ୍ତ ବିଦ୍ୟାଳୟର ୯ହଜାର ୩୭୮ଜଣ ଏବଂ ମଧ୍ୟମାରେ ୪ ହଜାର ୪୪୩ଜଣ ପରୀକ୍ଷାର୍ଥୀ ରହିଛନ୍ତି। ସୂଚାରୁରୂପେ ପରୀକ୍ଷା ପରିଚାଳନା କରାଯିବା ନିମନ୍ତେ ବୋର୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ପୂର୍ବ ସୂଚନା ଅନୁଯାୟୀ, ପ୍ରଥମ ଦିନ ସକାଳ ୭ଟାରୁ ନୋଡାଲ ସେଣ୍ଟରଗୁଡିକରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିଲା। ଛାତ୍ରଛାତ୍ରୀ ୪୫ ମିନିଟ ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ଣ ୧୦ଟାରେ ଶେଷ ହୋଇଥିଲା। କପି ରୋକିବାକୁ ମୋଟ ୯୩ଟି ସ୍କ୍ୱାଡ ନିୟୋଜିତ ହୋଇଥିଲେ। ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଭାବେ ୩୮ଟି ସ୍କ୍ୱାଡ ଏବଂ ଜିଲାସ୍ତରରେ ୬୫ଟି ଫ୍ଲାଇଙ୍ଗ ସ୍କ୍ୱାଡ ରହିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବା ସହ କେନ୍ଦ୍ରଗୁଡିକରେ ପାଣି, ଓଆରଏସ ମହଜୁଦ ରଖାଯାଇଥିବା ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.