
ଦେବଗଡ଼: ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଆଜି ଦେବଗଡ଼ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଛି। ଏଥି ସହିତ ତାଙ୍କର ୨ ଜଣ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ଜାମିନ ନାମାଞ୍ଜୁର ହେବା ପରେ ତିନି ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ୭ ତାରିଖରେ ହେବ।
ବିଧାୟକ ଗିରଫ ପ୍ରତିବାଦରେ ଆସନ୍ତାକାଲି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦେଇଛି ବିଜେପି l ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯନ୍ତ ବନ୍ଦ ରହିବ ଦେବଗଡ଼।
ପିଲାଙ୍କ ପରୀକ୍ଷା ଓ ଜରୁରୀକାଳୀନ ସେବାକୁ ବାଦ ଦେଇ ସମସ୍ତ ଦୋକାନ ବଜାର ସହ ଅଖ ଚକ ବନ୍ଦ ରହିବ। ଏଥିସହ ତିଳେଇବଣି ବିଡିଓଙ୍କ ଗିରଫ ଦାବି କରିଛି ଦଳ। ବନ୍ଦ ଡାକରା ସୂଚନା ଦେଇଛନ୍ତି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ।
ବିଧାୟକଙ୍କ ଗିରଫଦାରୀ ପ୍ରତିବାଦରେ ଦେବଗଡ ଆଦର୍ଶ ଥାନା ସମ୍ମୁଖରେ ବିଜେପିର କର୍ମୀ, ନେତା ଏବଂ ବିଧାୟକ ଧାରଣା ଦେଇଛନ୍ତି। ଏଥିରେ ୩ ବିଧାୟକ ଏବଂ ଜଣେ ପୂର୍ବତନ ବିଧାୟକ ସାମିଲ୍ ହୋଇଛନ୍ତି। ବିଧାୟକଙ୍କ ମଧ୍ୟରେ ଅଛନ୍ତି କେନ୍ଦୁଝର ବିଧାୟକ ମୋହନ ମାଝୀ, ସୁନ୍ଦରଗଡ ବିଧାୟକ କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଭୋଇ ଏବଂ କୁଚିଣ୍ଡା ପୂର୍ବତନ ବିଧାୟକ ରବିନାରାୟଣ ନାୟକ। ତିଳେଇବଣି ବିଡିଓଙ୍କ ଗିରଫ ଦାବି କରିଛି ବିଜେପି।
ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ‘ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଚିନ୍ତାର ବିଷୟ । ଜଣେ ଜନପ୍ରତିନିଧିଙ୍କର ଦାୟିତ୍ୱ ହେଉଛି ଜନସାଧାରଣଙ୍କ କାର୍ଯ୍ୟ କରିବା ଓ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା । ଏଥିରେ ବାଧା ସୃଷ୍ଟି କରାଯିବା ଅନୁଚିତ୍’।
ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ହିଁ ସାଧାରଣ ଲୋକଙ୍କ କାର୍ଯ୍ୟ ସହଜ ହୋଇଥାଏ। କିନ୍ତୁ କିଛି ସରକାରୀ ଅଧିକାରୀ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୁଚାରୁରୂପେ ପାଳନ ନ କରି ଦଳୀୟ ଆଧାରରେ କାର୍ଯ୍ୟ କରି ଜନତାଙ୍କ ସମସ୍ୟାକୁ ଅଣଦେଖା କରିବା ସହ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ; ଯାହାଫଳରେ ଜନଅସନ୍ତୋଷ ଦେଖାଯାଉଛି । ଏହାର ଏକ ଉଦାହରଣ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଗିରଫଦାରୀ’।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଜନସାଧାରଣଙ୍କ ସମସ୍ୟାକୁ ସମାଧାନ କରିବାକୁ ଯାଇ ବିଧାୟକ ଶ୍ରୀ ପାଣିଗ୍ରାହୀ ଗିରଫ ହେବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । କିଛି ଅଧିକାରୀମାନେ ନିଜର କାର୍ଯ୍ୟଶୈଳିକୁ ନ ସୁଧାରି ବିରୋଧୀ ଦଳର ନେତା ମାନଙ୍କ ସ୍ୱରକୁ ଚାପିବା ପାଇଁ ଆଇନର ଅପବ୍ୟବହାର କରୁଛନ୍ତି, ଯାହା ଗଣତନ୍ତ୍ର ପାଇଁ ବିପଦଜନକ’ ।