ଭୁଜାଲିରେ ହାଣି ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଲୁଟ୍‌

add-all

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଜିରାଳ-ପଣ୍ଡୁଆ ରାସ୍ତାର ଘୋଡ଼ାଡ଼ିଆଁ ଛକ ନିକଟରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଓ ଭୁଜାଲିରେ ହାଣି ୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଆହତ ବ୍ୟବସାୟୀଙ୍କ ନାଁ ଅଭିମନ୍ୟୁ ସାହୁ। ତାଙ୍କ ଘର ଜିରାଳରେ। ତାଙ୍କ ହାତରେ ଆଘାତ ଲାଗିଛି। ସେହିପରି ତାଙ୍କ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ସାମାନ୍ୟ ଆହତ ହୋଇଛନ୍ତି।

ଜିରାଳ ଗାଁରେ ଅଭିମନ୍ୟୁଙ୍କର ଏକ ଗ୍ରୋସରି ଦୋକାନ ଅଛି। ସେ ଦୋକାନ ପାଇଁ ଜିନିଷପତ୍ର ଆଣିବାକୁ ନିଜ ପିକ୍‌ଅପ୍‌ ଭ୍ୟାନରେ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଜିରାଳରୁ କଟକ ମାଲ ଗୋଦାମ ଅଭିମୁଖେ ବାହାରିଥିଲେ। ତେବେ ପଣ୍ଡୁଆ ଫାଣ୍ଡି ପାଖ ଘୋଡ଼ାଡ଼ିଆଁ ଛକ ନିକଟରେ ୩ ଜଣ ଯୁବକ ଏକ ବାଇକରେ ଆସି ସେମାନଙ୍କ ପଥରୋଧ କରିଥିଲେ। ଏହା ପରେ ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ଦେଖାଇ ଅଭିମନ୍ୟୁଙ୍କୁ ଟଙ୍କା ଦେବାକୁ କହିଥିଲେ। ସେ ଟଙ୍କା ନାହିଁ କହିବାରୁ ବନ୍ଧୁକ ଦେଖାଇ ଗୁଳି କରି ଦେବେ ବୋଲି କହିଥିଲେ। ଏହା ପରେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ଅଭିମନ୍ୟୁଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା। ଫଳରେ ତାଙ୍କ ହାତରେ ଆଘାତ ଲାଗିଥିଲା। ତା’ସହିତ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହା ପରେ ଦୁର୍ବୃତ୍ତମାନେ ଗାଡ଼ିରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲେ।ଘଟଣା ସଂପର୍କରେ ଅଭିମନ୍ୟୁ ପଣ୍ଡୁଆ ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୁଲିସ।

ad-week
Leave A Reply

Your email address will not be published.