
ଫୁଲବାଣୀ: ଗତ ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀର ପ୍ରସିଦ୍ଧ ଦ୍ଵିବାର୍ଷିକ ନାରାୟଣୀ ଯାତ୍ରା ଅବସରରେ ଗୁରୁବାର ଯୋଗୁଁ ଥିଲା ବିଶ୍ରାମର ଦିନ। ଏହି ଅବସରରେ ସଂନ୍ଧ୍ୟାରେ ମା’ ନାରାୟଣୀଙ୍କ ଆଳତି ବାହିନି ଦ୍ୱାରା ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ଆଳତି ଓ ଭୋଗ କାର୍ଯ୍ୟକ୍ରମ। ଏଥିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା। ଜିଲ୍ଲା ଓ ଜିଲ୍ଲା ବାହାରର ବହୁ ସଂଖ୍ୟରେ ଭକ୍ତ ଓ ଦର୍ଶକ ସାମିଲ୍ ହୋଇ ମା’ଙ୍କ ଆଶିଷ ଗ୍ରହଣ କରିଥିଲେ।ଆଳତି ପରେ ପରେ ଯାତ୍ରା ମଣ୍ଡପରେ କୋମଲ ଗାନ୍ଧାର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ହୋଇ କଣ୍ଠଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ବିଜୟ ମହାନ୍ତି, ସଭାପତି ପି.ସୁଧାଂଶୁ ସେନାପତି, ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ,ଉପସଭାପତି ସୁଜିତ୍ ବେହେରା, ସାଂସ୍କୃତିକ ସଂପାଦକ ଭି.ଲୋକନାଥ ରାଜୁ ଓ ସହ ସଂପାଦକ ପାର୍ଥ ସାରଥୀ ବିଶ୍ଵାଳ, ଅରୁଣ ପଣ୍ଡା,ସୀମାଞ୍ଚଳ ପ୍ରଧାନ, ସୁମନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି(ଲୁଲୁ) ସଂଯୋଜନା କରିଥିଲେ। ଆଜି ପ୍ରବଳ ଗହଳି ଯୋଗୁଁ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ଓ ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।