
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲି ପଞ୍ଚାୟତର କେରାଣ୍ଡିତୋଳା ଗ୍ରାମ ଚନ୍ଦ୍ରଶେଖର ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ ସଭାପତିତ୍ବ କରିଥିଲାବେଳେ କାମରାଜୁ ମହାରଣା ସଭା ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ଓ ବିପଣନ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ଯୋଗଦେଇ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ସମ୍ମାନନୀୟ ଅତିଥି ବ୍ଲକ ଉପାଧ୍ୟକ୍ଷା ଏସ ଶାରଦା ରେଡ୍ଡୀ, ବିଜୁ ଶ୍ରମିକ ସାମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ଦାଶ, ଯୁବନେତା ଏନ୍ ଦୁର୍ଯୋଧନ ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ବରିଷ୍ଠ ବିଜେଡି ନେତା ଅଶୋକ କୁମାର ପାଣିଗ୍ରାହୀ, ଚମାଖଣ୍ଡି ସରପଞ୍ଚ ସିଏଚ୍ ମନୋଜ ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ୍ ସଞ୍ଜିବ ରେଡ୍ଡୀ, ବଉଳଗାଁ ସମିତି ସଭ୍ୟ ରାମଚନ୍ଦ୍ର ପରିଡା, ଯୁବ ନେତା ସରୋଜ କୁମାର ଦାସ, ଆର୍ଯ୍ୟପଲ୍ଲି ସରପଞ୍ଚ ତ୍ରିଲୋଚନ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥିମାନେ ସାମ୍ପ୍ରତିକ ସମାଜରେ ବରିଷ୍ଠ ନାଗରିକ ମାନେ ସାମ୍ନା କରୁଥିବା ସମସ୍ୟା ଓ ତା’ର ନିରାକରଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ରାଜ୍ୟ ସକାରଙ୍କ ଘୋଷିତ ନୀତି ଅନୁଯାୟୀ ବରିଷ୍ଠ ନାଗରିକମାନଙ୍କ ସାମାଜିକ ଓ ଆର୍ଥିକ ନିରାପତ୍ତା, ଉନ୍ନତ ସ୍ୱାସ୍ଥ୍ୟସେବା, ପିତାମାତାଙ୍କ ଭରଣ ପୋଷଣ ଆଦି ଜରୁରୀ ସେବା ପ୍ରଦାନରେ ଜିଲା ପ୍ରଶାସନ ଅଧିକ ସମ୍ବେଦନଶୀଳ ହେବା ନେଇ ଅତିଥିମାନେ ଆଶା ପ୍ରକାଶ କରିଥିଲେ। ମଞ୍ଚର ସମ୍ପାଦକ ବାଉରୀ ବନ୍ଧୁ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିରେ ବିଭିନ୍ନ ପ୍ରକାର ପ୍ରତିଭାବାନ୍ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନା କରିଥିଲେ।