
ନୂଆଦିଲ୍ଲୀ: ବର୍ତ୍ତମାନ ଯେଉଁଠାରେ କୁତବମିନାର ଅଛି ସେଠାରେ ୨୭ଟି ମନ୍ଦିର ଥିଲା | ଏହାକୁ ଭଙ୍ଗାଯାଇ ଏହି ସ୍ମାରକ ନିର୍ମାଣ କରାଯାଇଛି | ତେଣୁ ପୁଣି ମନ୍ଦିରର ପୁନଃନିର୍ମାଣ କରାଯାଇ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଉ | କୁତବମିନାରରେ ପୂର୍ବରୁ ଏକ ‘ବିଷ୍ଣୁ ସ୍ତମ୍ଭ’ ଥିଲା | ତେଣୁ ଏହାର ନାମ ବଦଳାଇ ବିଷ୍ଣୁ ସ୍ତମ୍ଭ ରଖାଯାଉ ବୋଲି ଦାବି କରିଛନ୍ତି ହିନ୍ଦୁ ସଂଗଠନ | ଆଜି ହିନ୍ଦୁ ସଂଗଠନର ସଦସ୍ୟମାନେ କୁତବମିନାର ପରିସରରେ ହନୁମାନ ଚାଳିଶା ପାଠ କରିବା ସହ ନାମ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ଆଜି ସକାଳୁ ହିନ୍ଦୁ ସଂଗଠନର ସଦସ୍ୟମାନେ ଏଭଳି ଢଙ୍ଗରେ ପ୍ରତିବାଦ କରିଛନ୍ତି | ହିନ୍ଦୁ ସଂଗଠନ ମହାକାଳ ମାନବ ସେବା ସଦସ୍ୟମାନେ କହିଛନ୍ତି ଯେ କୁତବମିନାରରେ ପ୍ରକୃତରେ ଏକ ବିଷ୍ଣୁ ସ୍ତମ୍ଭ ଥିଲା । ଜୈନ ଏବଂ ହିନ୍ଦୁ ମନ୍ଦିରଗୁଡ଼ିକୁ ଭାଙ୍ଗି ଏହାକୁ ନିର୍ମାଣ କରାଯାଇଥିଲା | ତେବେ ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କିଛି ଲୋକଙ୍କୁ ଗିରଫ କରିଥିଲା।
କୁତବମିନାର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ପୁଲିସ ଆହୁରି କଡାକଡି କରିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ ଭାରତ ଏକ ସନାତନ ଭୂମି ହୋଇଥିବାରୁ କୁତବମିନାର ସହ ମୋଗଲ କୋଠା ଏବଂ ରାସ୍ତାର ନାମ ମଧ୍ୟ ପରିବର୍ତ୍ତନ କରାଯିବା ଉଚିତ | ସୂଚନା ଥାଉ କି ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ଏଭଳି ଦାବି ଉଠାଇଥିଲା | ଭିଏଚପି ପକ୍ଷରୁ କୁହାଯାଇଥିଲା ଯେ ସରକାର କୁତବମିନାର କମ୍ପ୍ଲେକ୍ସରେ ଥିବା ପ୍ରାଚୀନ ମନ୍ଦିରଗୁଡ଼ିକୁ ପୁନଃନିର୍ମାଣ କରନ୍ତୁ ଏବଂ ସେଠାରେ ହିନ୍ଦୁ ରୀତିନୀତିକୁ ପୁନର୍ବାର ଆରମ୍ଭ କରିବାକୁ ଅନୁମତି ଦିଅନ୍ତୁ।