ନିଖୋଜ ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର

add-all

ଭୁବନେଶ୍ବର: ନିଖୋଜ ଥିବା ପୂର୍ବତନ ବିଧାୟକ ସରୋଜ କୁମାର ପାଢ଼ୀଙ୍କୁ କ୍ୟାପିଟାଲ ଥାନା ପୁଲିସ ଉଦ୍ଧାର କରିଛି। କମିଶନରେଟ ପୁଲିସ ଦ୍ବାରା ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ସରୋଜ ପାଢ଼ୀଙ୍କୁ ପରିବାର ଲୋକଙ୍କୁ କମିଶନରେଟ ପୁଲିସ ହସ୍ତାନ୍ତର କରିଛି। କିଛି ଦିନ ହେବ ନିଖୋଜ ଥିଲେ ଆସିକାର ପୂର୍ବତନ ବିଧାୟକ ସରୋଜ କୁମାର ପାଢ଼ୀ।

ଗଞ୍ଜାମ ଜିଲା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ ହେବାର ୫ ଦିନ ପରେ କମିଶନରେଟ ପୁଲିସ ଦ୍ବାରା ଉଦ୍ଧାର ହୋଇଛନ୍ତି। ତାମିଲନାଡୁର ରାମେଶ୍ବରମ୍‌ ଠାରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ଶ୍ରୀ ପାଢ଼ୀଙ୍କୁ କମିଶନରେଟ ପୁଲିସ ଉଦ୍ଧାର କରି ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିବା କ୍ୟାପିଟାଲ ଥାନାର ଆଇଆଇସି ଗିରିଜା ଚକ୍ରବର୍ତ୍ତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୧୨ ତାରିଖ ଦିନ ଆସିକାର ପୂର୍ବତନ ବିଧାୟକ ସରୋଜ କୁମାର ପାଢ଼ୀ ନିଖୋଜ ହେବା ନେଇ ତାଙ୍କ ପୁଅ ସଙ୍ଗୀତ ପାଢ଼ୀ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଏତଲାରେ ତାଙ୍କ ପୁଅ ଦର୍ଶାଇଥିଲେ ଯେ, ଶ୍ରୀ ପାଢ଼ୀ ୟୁନିଟ୍‌-୬ସ୍ଥିତ ରାଧାକ୍ରିଷ୍ଣ ଏନ୍‌କ୍ଲେଭ ଘରୁ ମେ’ ୧୨ ତାରିଖ ସକାଳୁ ଘରୁ ବାହାରକୁ ଯାଇ ଆଉ ଘରକୁ ଫେରିନାହାନ୍ତି। ଏହାପରେ ବାପାଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ସ୍ବିଚଅଫ ରହିଛି। କିନ୍ତୁ ମେ’ ୧୪ ତାରିଖ ରାତି ପାଖାପାଖି ସାଢ଼େ ୯ଟା ସମୟରେ ଏକ ଅଜଣା ନମ୍ବରରୁ ପୁଅ ସଙ୍ଗୀତଙ୍କ ନମ୍ବରକୁ କଲ୍‌ ଆସିଥିଲା। ପୁଅ ଫୋନ ଉଠାଇବା ପରେ ବାପାଙ୍କ ସ୍ବର ଶୁଣି ଖୁସି ହୋଇଯାଇଥିଲେ। ମୁଁ ତାମିଲ୍‌ନାଡ଼ୁ ରାମେଶ୍ବରମରେ ରହିଛି। ରାମେଶ୍ବରମ ଦର୍ଶନ ପାଇଁ ଆସିଥିଲି। କେହି ବ୍ୟସ୍ତ ହୁଅନି ମୁଁ ଦୁଇଦିନରେ ଘରେ ପହଞ୍ଚିବି ବୋଲି ପୁଅକୁ କହିଥିଲେ। ବାପାଙ୍କଠାରୁ ଫୋନ କଲ ପାଇବା ପରେ ପୁଅ କ୍ୟାପିଟାଲ୍‌ ଥାନା ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ।
ସରୋଜ କୁମାର ପାଢୀ ଆସିକା ରାଜନୀତିରେ ଗତ ୨୫ ବର୍ଷ ଧରି ସକ୍ରିୟ ଅଛନ୍ତି । ସେ ୨୦୦୪ ରୁ ୨୦୦୯ ଆସିକାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ।

ad-week
Leave A Reply

Your email address will not be published.