ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ, ଗୁରୁକୁଳ ସୋସାଇଟି ଗଠନକୁ ଅନୁମୋଦନ

add-all

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ ଶେଷ ହୋଇଛି । ଆଜି ସକାଳେ ଗଜପତିଙ୍କ ଅଧ୍ୟକ୍ଷତାରେ ଗୁରୁକୁଳ ପାଇଁ ହୋଇଥିବା ସବ କମିଟି ବୈଠକରେ ନିଷ୍ପତ୍ତିକୁ ପରିଚାଳନା କମିଟି ମୋହର ମାରିଛି। ଗୁରୁକୂଳ ପାଇଁ ସୋସାଇଟି ଗଠନକୁ ମଧ୍ୟ ଅନୁମୋଦନ ମିଳିଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଛି।

ସେହିପରି ଗରିବ ସେବାୟତଙ୍କ ପାଇଁ ମାଟି ମଣ୍ଡପ ସାହିରେ ୨.୮୧ ଓ ହରଚଣ୍ଡୀ ସାହି ମୈଜାରେ ୩.୧୮ ଜମି ଚିହ୍ନଟ ହୋଇଛି। ଏହି ଜମି ଶ୍ରୀମନ୍ଦିର ପ୍ରଶାସନ ଅଧିନକୁ ଆସିବା ପରେ ଓବିସିସିକୁ ଡିଜାଇନ୍ ପ୍ରସ୍ତୁତ ପାଇଁ କୁହାଯିବ। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅନ୍ତର୍ଗତ ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟ ପୂର୍ବପରି ଚାଲୁ ରହିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସଆଇ ସହ ମିଶି କାର୍ଯ୍ୟ ଜାରି ରହିବ।

ପୂର୍ବରୁ ଗଜପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସାଂସ୍କୃତିକ ଉପଦେଷ୍ଟା କମିଟିର ନିଷ୍ପତ୍ତିକୁ ମଧ୍ୟ ଅନୁମୋଦନ କରାଯାଇଛି। ଏଏସଆଇ ଡ଼ିଜିଙ୍କ ନିର୍ଦ୍ଦେଶ କ୍ରମେ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ଶହେ ମିଟର ପରଧି ବାହାରେ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଏହା କେଉଁ ସ୍ଥାନରେ କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ସେହିପରି ଆଉଟଡୋର ଆସେସମେଣ୍ଟ ରୋଡ ପାଇଁ ଆବଶ୍ୟକ ହେଲେ ଅଧିକ ଜମି ଅଧିଗ୍ରହଣ ଓ ଯାତ୍ରୀ ପରିକ୍ରମା ମାର୍ଗ ମଧ୍ୟରେ ହୋଇଥିବା ସମସ୍ତ କାର୍ଯ୍ୟ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ କରାଯିବା ସହ ଏହା ମେଘନାଦ ପାଚେରୀ ଠାରୁ ଅଧିକ ଉଚ୍ଚ ହେବ ନାହିଁ ବୋଲି ପୂର୍ବରୁ ସାଂସ୍କୃତିକ ଉପଦେଷ୍ଟା କମିଟିରେ ନିଷ୍ପତ୍ତି ନିଆଯାଇଥିଲା।

ଏହି ପ୍ରକଳ୍ପ କାର୍ଯ୍ୟ ଦ୍ବାରା ଶ୍ରୀମନ୍ଦିର ଦୃଶ୍ୟମାନ ହେବାରେ ଯେଉଁଭଳି କୌଣସି ପ୍ରତିବନ୍ଧକ ନଉପୁଜିବ ତାହା ଉପରେ ମଧ୍ୟ ସାଂସ୍କୃତିକ ଉପଦେଷ୍ଟା କମିଟି‌ ନେଇଥିବା ନିଷ୍ପତ୍ତିକୁ ମଧ୍ୟ ପରିଚାଳନା କମିଟି ମୋହର ମାରିଛି । ଆଜି ଅପରାହ୍ନରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.