୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଲାଞ୍ଚୁଆ ସୁପରଭାଇଜର

add-all

ପୁରୀ: ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର(DIC)ର ଲାଞ୍ଚୁଆ ସୁପରଭାଇଜର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସେ ଜଣେ ହିତାଧିକାରୀଙ୍କୁ ସରକାରଙ୍କ ଠାରୁ ମିଳିବାକୁ ଥିବା ସବ୍‌ସିଡି ଟଙ୍କା କରାଇଦେବାକୁ ଲାଞ୍ଚ ନେଉଥିଲେ। ଏହି ସମୟରେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଲାଞ୍ଚୁଆ ବାବୁ ଡିଆଇସି ଅଫିସର ଖଦି ଏବଂ ଗ୍ରାମ ଉଦ୍ୟଗ ବିଭାଗର ସୁପରଭାଇଜର ନାରାୟଣ ପଟ୍ଟନାୟକ।

ସୂଚନା ମୁତାବକ, ବେଲମେଟାଲ ପ୍ରୋସେସିଂ ୟୁନିଟ କରିଥିବା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ପାଖାପାଖି ୨ ଲକ୍ଷ ୪୫ ହଜାର ସବ୍‌ସିଡି ଟଙ୍କା ପଠାଇବାରେ ଏହି ସୁପରଭାଇଜର ଫାଇଲ ଅଟକାଇ ରଖିଥିଲେ। ୧୫ ହଜାର ଟଙ୍କା ଲାଞ୍ଚ ଦେଲେ ଫାଇଲ୍ କାମ କରିବାକୁ କହିଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତି ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଲାଞ୍ଚୁଆ ସୁପରଭାଇଜରଙ୍କୁ ଧରିବାକୁ ଭିଜିଲାନ୍ସ ପଦକ୍ଷେପ ନେଇଥିଲା।

ଭିଜିଲାନ୍ସର ଯୋଜନା ମୁତାବକ ଆଜି ସମ୍ପୃକ୍ତ ବ୍ୟକ୍ତି ପ୍ରଲେପ ଦିଆଯାଇଥିବା ୧୫ ହଜାର ଟଙ୍କା ପୁରୀ ଡିଆଇସି ଅଫିସ୍‌ରେ ପହଞ୍ଚି ସମ୍ପୃକ୍ତ ସୁପରଭାଇଜରଙ୍କୁ ଦେଇଥିଲେ। ଏହି ସମୟରେ ଭିଜିଲାନ୍ସ ଚଢ଼ାଉ କରି ଏହି ଲାଞ୍ଚୁଆ ଅଧିକାରୀଙ୍କୁ ଗିରଫ କରିଥିଲା। ତାଙ୍କ ଠାରୁ ଲାଞ୍ଚ ନେଇଥିବା ଟଙ୍କାକୁ ଜବତ କରିଥିଲା।

ଏନେଇ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ଏଥିସହ ଏହି ଲାଞ୍ଚୁଆ ଡିଆଇସି ସୁପରଭାଇଜରଙ୍କ ବିଷୟରେ ଅଧିକ ଜାଣିବାକୁ ଅଧିକ ଖୋଳତାଡ଼ ଚଳାଇଛି। ଗୋଟିଏ ପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ପୁରୀ ଚଳଚଞ୍ଚଳ ଥିବା ବେଳେ ଅନ୍ୟପଟେ ଲାଞ୍ଚୁଆ ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡ଼ିବା ଚର୍ଚ୍ଚାର ବିଷୟ ହୋଇଛି।

ad-week
Leave A Reply

Your email address will not be published.