ଦେବଦୂତ ସାଜିଲା ସେନା, ପାଣି କାଦୁଅରୁ ୫ଜଣଙ୍କୁ ଜୀବନ୍ତ ଟାଣି ଆଣିଲା

add-all

ଶ୍ରୀନଗର: ସେନାକୁ ସଲାମ। ଦେବଦୂତ ସାଜି ୫ ଜଣଙ୍କ ବଞ୍ଚାଇଲା ଜୀବନ। ପାଣି କାଦୁଅରୁ ସେମାନଙ୍କୁ ଟାଣି ଆଣିଲେ ସେନା ଯବାନ। ନିକଟରେ ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ହୋଇଥିଲା। ଫଳରେ ପାହାଡରୁ ଅତଡା ଖସି ତୀର୍ଥ ଯାତ୍ରୀଙ୍କ ତମ୍ବୁ ଭସାଇ ନେଇଥିଲା। ଅନେକ ଲୋକ ମାଟି କାଦୁଅ ଭିତରେ ପୋତି ହୋଇଯାଇଥିଲେ। ଏହି ସମୟରେ ଦେବଦୂତ ସାଜି ଭାରତୀୟ ସେନା ଯବାନ ମାଟି କାଦୁଅ ଭିତର ୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ଥ୍ରୁ ୱାଲ ରାଡାର୍‌ ସାହାଯ୍ୟରେ ଯବାନମାନେ ୫ ଜଣ ଶ୍ରଦ୍ଧାଳୁଙ୍କୁ କାଦୁଅ ଓ ପଙ୍କ ପାଣି ଭିତରୁ ଉଦ୍ଧାର କରିଥିବା ଜଣାପଡିଛି। ଏହି ରାଡାର୍‌ର କମ୍ପନା ସହାୟତାରେ ମାଟି ତଳର ସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ଏବେବି ସେଠାରେ ୪୦ରୁ ଅଧିକ ଶ୍ରଦ୍ଧାଳୁ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶନିବାର ସକାଳ ସୁଦ୍ଧା ୧୫ ହଜାର ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ଦୁଇ ଜଣ ପୁଲିସକର୍ମୀଙ୍କ ମଧ୍ୟ ସାମାନ ମାମଲା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେବଦୂତ ସାଜି ମୃତ୍ୟୁ ମୁଖରୁ ଟାଣି ଆଣିଛନ୍ତି। ପୁଣେ ଦତ୍ତାୱାଡିର ଶିୱାଣେ ଗାଁରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ଏହି ଘଟଣାର ପୂରା ଭିଡିଓକୁ ଶେଆର କରି ସାଂସଦ ସୁପ୍ରିୟା ସୁଲେ ପ୍ରଶଂସା କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଶିୱାଣେ ଗାଁ ସ୍ଥିତ ବାଗୁଲ ଉଦ୍ୟାନରେ ଦୁଇ ଜଣ ପୁଲିସ କନଷ୍ଟେବଳ ସଦ୍ଦାମ ଶେଖ ଓ ଅଜିତ ପୋକାରେ ବନ୍ୟା ପାଣିରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି। ଏହି କାମ ପାଇଁ ଦୁଇ ପୁଲିସ କର୍ମୀଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।
ସୂଚନା ଯୋଗ୍ୟ ମୌସୁମୀ ବର୍ଷା ପ୍ରଭାବରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଅନେକ ଜିଲ୍ଲା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଘରୁ ବାହାରିବା ମୁସକିଲ ହୋଇପଡିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସବୁ ଜିଲ୍ଲାକୁ ସତର୍କ ରହିବାକୁ କହିଛନ୍ତି। ଅବଶ୍ୟକ ପଡିଲେ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.