କାଉଡିଆମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କଲେ ମୁସଲମାନ ସଂପ୍ରଦାୟ

add-all

ନୋଏଡା: ଉତ୍ତରପ୍ରଦେଶର ନୋଏଡାରେ ଦେଖିବାକୁ ମିଳିଛି ଏକ ଅନନ୍ୟ ଦୃଶ୍ୟ। ଶିବ ମନ୍ଦିରରେ ଜଳାଭିଷେକ ପାଇଁ ଜଳଭାର ଧରି ଯାଉଥିବା କାଉଡ଼ିଆମାନଙ୍କୁ ମୁସଲମାନ ସଂପ୍ରଦାୟର ଲୋକମାନେ ବାଟରେ ଟେଣ୍ଟ ଲଗାଇ ସେମାନଙ୍କୁ ସ୍ୱାଗତ କରିବା ସହ ସେବା କରୁଥିବାର ଦେଖାଯାଇଛି। ଟେଣ୍ଟରେ ସେମାନେ କାଉଡ଼ିଆମାନଙ୍କ ପାଇଁ ଫଳ ଓ ପାଣିର ବ୍ୟବସ୍ଥା କରିଛନ୍ତି। ଏହା ସହିତ କାଉଡ଼ିଆମାନଙ୍କ ଉପରେ ଫୁଲ ପକାଇ ଏବଂ ବେକରେ ଫୁଲମାଳ ପିନ୍ଧାଇ ସେମାନଙ୍କୁ ସ୍ୱାଗତ କରୁଛନ୍ତି।
ଅନ୍ୟପକ୍ଷରେ ଉତ୍ତରପ୍ର‌ଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ହେଲିକପ୍ଟର ଯୋଗେ କାଉଡ଼ିଆମାନଙ୍କ ଉପରେ ଫୁଲ ବର୍ଷା କରାଇବା ଏବଂ କାଉଡିଆମାନଙ୍କ ଯାତ୍ରା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମିରଟ ଡିଭିଜନାଲ କମିଶନର ସୁରେନ୍ଦ୍ର ସିଂ, ଜିଲ୍ଲା ମାଜିଷ୍ଟ୍ରେଟ ଦୀପକ ମୀନା, ମିରଟ ଜୋନର ଅତିରିକ୍ତ ମହାନିର୍ଦ୍ଦେଶକ ରାଜୀବ ସାବରୱାଲ, ଇନ୍ସପେକ୍ଟର ଜେନେରାଲ ପ୍ରବୀଣ କୁମାର ଏବଂ ବରିଷ୍ଠ ପୁଲିସ ଅଧୀକ୍ଷକ ରୋହିତ ସିଂ ସାଜୱାନ ପାଲ୍ଲାଭାପୁରମରେ ରାସ୍ତାରେ ଠିଆ ହୋଇଥିବା କାଉଡିଆଙ୍କ ଉପରେ ଫୁଲ ପକାଇଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ହେଲିକପ୍ଟର ଯୋଗେ କାଉଡିଆଙ୍କ ଉପରେ ଫୁଲ ପକାଇବାର ଥିଲା କିନ୍ତୁ ଖରାପ ପାଗ ହେତୁ ଏହା ସମ୍ଭବପର ହୋଇପାରି ନଥିଲା।
ଗୁରୁବାର ଦିନ ଗୌତମ ବୁଦ୍ଧ ନଗରରେ ପୁଲିସ କର୍ମୀମାନେ କାଉଡିଆମାନଙ୍କୁ ହେଲମେଟ ଏବଂ ଜାତୀୟ ପତାକା ବଣ୍ଟନ କରିଥିଲେ। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଟ୍ରାଫିକ ନିୟମକୁ ଦୃଷ୍ଟିରେ ରଖି ପୁଲିସ ଅଧିକାରୀ ଏବଂ ଷ୍ଟେସନ ଇନ-ଚାର୍ଜ ଦୁଇ ଚକିଆ ଯାନରେ ଯାଉଥିବା କାଉଡିଆଙ୍କୁ ହେଲମେଟ ଏବଂ ଜାତୀୟ ପତାକା ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.