ଗତ ୫ ବର୍ଷରେ ମୋଦି ସରକାର ବିଜ୍ଞାପନ ଲାଗି ଖର୍ଚ୍ଚ କରିଛନ୍ତି ୩,୩୩୯.୪୯ କୋଟି ଟଙ୍କା

add-all

ନୂଆଦିଲ୍ଲୀ: କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିଗତ ୫ ବର୍ଷ ମଧ୍ୟରେ ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଛନ୍ତି ୩,୩୩୯ କୋଟିରୁ ଅଧିକ ଟଙ୍କା। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ସଂସଦର ରାଜ୍ୟସଭାରେ କହିଛନ୍ତି ଯେ ୨୦୧୭ ଠାରୁ ପାଞ୍ଚ ବର୍ଷ ମଧ୍ୟରେ ସରକାର ଛାପା (ପ୍ରିଣ୍ଟ) ଏବଂ ଦୃଶ୍ୟଶ୍ରାବ୍ୟ (ଇଲେକ୍ଟ୍ରୋନିକ୍‌) ଗଣମାଧ୍ୟମରେ ବିଜ୍ଞାପନ ବାବଦରେ ୩,୩୩୯.୪୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
ଏକ ଲିଖିତ ଉତ୍ତରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଠାକୁର କହିଛନ୍ତି ଯେ ସରକାର ୨୦୧୭-୧୮ରୁ ଚଳିତ ବର୍ଷ ଜୁଲାଇ ୧୨ ପର୍ଯ୍ୟନ୍ତ ପ୍ରିଣ୍ଟ ମିଡିଆରେ ବିଜ୍ଞାପନ ପାଇଁ ୧,୭୫୬.୪୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ଏହି ସମାନ ଅବଧି ମଧ୍ୟରେ ଇଲେକ୍ଟ୍ରୋନିକ୍‌ ମିଡିଆରେ ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଛି ୧,୫୮୩.୦୧ କୋଟି ଟଙ୍କା।
କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ କମ୍ୟୁନିକେସନ) ମାଧ୍ୟମରେ ସରକାରଙ୍କ ଦ୍ୱାରା ଏହି ଖର୍ଚ୍ଚ କରା ଯାଇଥିଲା ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଠାକୁର କହିଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ମାଧ୍ୟମରେ ବିଦେଶୀ ଗଣମାଧ୍ୟମରେ ବିଜ୍ଞାପନ ବାବଦରେ ସରକାରଙ୍କର କୌଣସି ମନ୍ତ୍ରାଳୟ କିମ୍ବା ବିଭାଗ ଦ୍ୱାରା କୌଣସି ଖର୍ଚ୍ଚ ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.