ବଳପୂର୍ବକ ଋଣ ଆଦାୟ ଉପରେ ନିୟମ କଡ଼ାକଡ଼ି କଲା ରିଜର୍ଭ ବ୍ୟାଙ୍କ

କୌଣସି ପରିସ୍ଥିତିରେ ଗ୍ରାହକଙ୍କୁ ହଇରାଣ କରିବା ଓ ନିର୍ଯ୍ୟାତନା ନଦେବା ଲାଗି ନିୟମ କଡାକଡି । ଗ୍ରାହକଙ୍କଠାରୁ ଋଣ ଅର୍ଥ ଆଦାୟ ବେଳେ ବଳପ୍ରୟୋଗ କରାଯାଉଥିବାର ଅଭିଯୋଗ ବାରମ୍ବାର ଆସୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛି। ଏନେଇ ସବୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ କୁହାଯାଇଛି।

ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ ଅଧୀନରେ ଥିବା ସବୁ ସଂସ୍ଥା ପାଇଁ ଏହି ନିୟମ ଲାଗୁ ହୋଇଛି। କୌଣସି ସଂସ୍ଥା ଏହି ନିୟମ ଉଲ୍ଲଂଘନ କରିଥିବା ଧରାପଡ଼ିଲେ ତାହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି।

ଋଣ ଅସୁଲ ପ୍ରକ୍ରିୟାରେ କୌଣସି ସଂସ୍ଥା ଗ୍ରାହକଙ୍କ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ହଇରାଣ କରିପାରିବେ ନାହିଁ। ସେମାନଙ୍କ ଗୋପନୀୟତା ସୀମା ଉଲ୍ଲଂଘନ କରିବେ ନାହିଁ। ଏଜେଣ୍ଟ୍‌ମାନେ ‌ମୋବାଇଲ୍ କିମ୍ବା ସୋସିଆଲ ମିଡିଆରେ କୌଣସି ଅନୁପଯୁକ୍ତ ମେସେଜ ପଠାଇପାରିବେ ନାହିଁ। ଗ୍ରାହକଙ୍କୁ ଧମକାଇବା ଭଳି କୌଣସି କଲ୍ କିମ୍ବା ଅଜଣା କଲ୍ କରିପାରିବେ ନାହିଁ। ଋଣ ରାଶି ଫେରସ୍ତ ମାଗିବା ଲାଗି ଗ୍ରାହକମାନଙ୍କୁ ସକାଳ ୮ଟା ପୂର୍ବରୁ କିମ୍ବା ରାତି ୭ଟା ପରେ କଲ୍ କରିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବାରଣ କରାଯାଇଛି ।

ଡିଜିଟାଲ୍ ଋଣ ପ୍ରଦାନ କରୁଥିବା ସଂସ୍ଥା ପାଇଁ ସ୍ବତନ୍ତ୍ର ଆଇନ ପ୍ରସ୍ତୁତ କରାଯାଇଛି। ବିଶେଷ କରି ଚୀନ୍‌ର ଡିଜିଟାଲ୍ ଋଣ ଆପ୍‌ଗୁଡ଼ିକ ଉପରେ ଲଗାମ କଷିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଡିଜିଟାଲ୍ ଋଣ ଜାରି କରୁଥିବା ସଂସ୍ଥା ପାଇଁ ଗ୍ରାହକଙ୍କ ଫୋନ୍‌ର ତଥ୍ୟ ରଖିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ କେବଳ ଋଣ ପ୍ରକ୍ରିୟାକରଣ ଲାଗି ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି। ଋଣ ପ୍ରଦାନ ସହ ଜଡ଼ିତ ସବୁ ବ୍ୟୟର ବିବରଣୀ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି। ବ୍ୟୁରୋକୁ ସବୁ ଋଣର ସୂଚନା ଦେବା ବାଧ୍ୟତାମୂଳକ କରାଯାଇଛି। ସବୁ ତଥ୍ଯ ନିୟନ୍ତ୍ରିତ ସଂସ୍ଥା ଓ ଗ୍ରାହକଙ୍କ ମଧ୍ୟରେ ସିଧାସଳଖ କରିବାକୁ କୁହାଯାଇଛି। ତୃତୀୟ ପକ୍ଷର ପ୍ରବେଶକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବାରଣ କରାଯାଇଛି।

ad-week
Leave A Reply

Your email address will not be published.