ବନ୍ୟା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

add-all

ଭୁବନେଶ୍ୱର: ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଛି। ଏହାଦ୍ୱାରା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର ଆଦି ଜିଲ୍ଲା ପ୍ରଭାବିତ ହୋଇଛି। ତେବେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲୁ ରଖିଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ମଲ୍ଲିକ କହିଛନ୍ତି, ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଲାଗି ରହିଥିବା ବେଳେ ପରିସ୍ଥିତି ଦେଖି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପାଣି ଘେରରେ ଫସିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ପ୍ରଚେଷ୍ଠା ଜାରି ରହିଛି। ସ୍କୁଲ, କଲେଜ ତଥା କଲ୍ୟାଣ ମଣ୍ଡପରେ ସେମାନଙ୍କ ରହିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ରନ୍ଧା ଖାଦ୍ୟ ସହ ମେଡିସିନ, ପାନୀୟ ଜଳ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦିଆଯାଉଛି। ଧନଜୀବନ ରକ୍ଷା ପାଇଁ ଚେଷ୍ଟା ଚାଲିଛି। ଆବଶ୍ୟକ ସ୍ଥଳରେ ଜିଲ୍ଲାପାଳ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇପାରିବେ। ବିଭିନ୍ନ ସ୍କୁଲ, କଲେଜକୁ ବାତ୍ୟା ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ।

ଗତକାଲି ୨ଟି ଘାଇ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪ରେ ପହଞ୍ଚିଛି। ଘାଇ ଓ ଘଳିଆ ମରାମତି କରିବାକୁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ad-week
Leave A Reply

Your email address will not be published.