ହସି ଦେବାରୁ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ !

youtube

ଜଳେଶ୍ୱର: ବୈଠକ ଚାଲିଥିବା ବେଳେ ହସି ଦେଇ ଫସିଗଲେ କନିଷ୍ଠ ଯନ୍ତ୍ରୀ! ସେଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ହୋଇଛି। ଅବଶ୍ୟ ସେହି ହସ ଭିତରେ ଲୁଚି ରହିଥିଲା ସରକାରୀ ଦୁର୍ନୀତିର ଗୁମର। ବୋଧହୁଏ ସେଥିପାଇଁ ତାଙ୍କୁ ନୋଟିସ୍‌ ହୋଇଥିବା ଆଲୋଚନା ହେଉଛି। ବନ୍ୟା ପ୍ରପୀଡିତ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରୁ ଆସିଛି ଏପରି ଖବର।

ମଙ୍ଗଳବାର ରାତିରେ ବାଲିଆପାଳ ବ୍ଲକ ଅଫିସ୍‌ରେ ବସିଥିଲା ସମୀକ୍ଷା ବୈଠକ। ଏଥିରେ ବାଲେଶ୍ୱର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର ସାହୁ, ସ୍ଥାନୀୟ ବିଡିଓ ଦୀପକ କୁମାର ଦାସ, ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ବାଲିଆପାଳ ବ୍ଲକରେ ବନ୍ୟା ହୋଇଥିବା ଉଦ୍ଧାର କାର୍ଯ୍ୟ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ଚାଲିଥିଲା। ଠିକ୍‌ ଏହି ସମୟରେ ବୈଠକରେ ବସିଥିବା ବାଲିଆପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ମିହିର ପଣ୍ଡା ହସି ଦେଇଥିଲେ। ଯନ୍ତ୍ରୀଙ୍କ ଏହି ବରିଷ୍ଠ ଅଧିକାରୀଙ୍କୁ ବ୍ୟଥିତ କରିଥିଲା। ସେଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ହୋଇଛି।

କାରଣ ଦର୍ଶାଅ ନୋଟିସ୍‌ର ପ୍ରତିବାଦ କରିଥିଲେ ଯନ୍ତ୍ରୀ ଶ୍ରୀ ପଣ୍ଡା। ଏହାର ପ୍ରତିବାଦରେ ଆଜି ସକାଳେ ସେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଥିଲେ। ଧାରଣାରେ ବସିଥିବା ବେଳେ ସେ ଅସୁସ୍ଥ ହୋଇପଡ଼ି ଥିଲେ। ପରେ ଘରକୁ ଚାଲି ଯାଇଥିଲେ।

ନୋଟିସ୍‌କୁ ନେଇ କନିଷ୍ଠ ଯନ୍ତ୍ରୀ ମିହିର ପଣ୍ଡା କହିଛନ୍ତି, ଲଢ଼େଇ ଜାରି ରହିବ। ବୈଠକ ଚାଲିଥିବା ବେଳେ ମୋବାଇଲ୍‌କୁ ଗୋଟିଏ ମେସେଜ୍‌ ଆସିଥିଲା। ସେଥିରେ ଲେଖାଯାଇଛି, ଗୋଟିଏ ପଞ୍ଚାୟତରେ ୮୫୦ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ପ୍ରକୃତରେ ସେହି ପଞ୍ଚାୟତରେ ମାତ୍ର ୪୦-୫୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା। ଏହି ମେସେଜ ପଢ଼ିବା ପରେ ହସିଥିବା ଶ୍ରୀ ପଣ୍ଡା କହିଛନ୍ତି। ଏହି କାରଣରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ପରେ ଅବଶ୍ୟ ସେହି ମେସେଜ୍‌କୁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଲୁଚାଇ ଦିଆଯାଇଥିବା ମିହିର ପଣ୍ଡା କହିଛନ୍ତି।

ଅରପକ୍ଷରେ ବିଡିଓ କହିଛନ୍ତି, କାର୍ଯ୍ୟରେ ଅବହେଳା ପାଇଁ ମିହିରଙ୍କୁ ନୋଟିସ୍‌ କରାଯାଇଛି।

ସୂଚନାରୁ ପ୍ରକାଶ, ବନ୍ୟାରେ ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ବାଲେଶ୍ୱର ସଦର ଅଞ୍ଚଳରେ ବ୍ୟାପକ କ୍ଷତିକ୍ଷତି ଘଟିଛି। ଲୋକଙ୍କ ଘରେ ବନ୍ୟା ପାଣି ପଶିଛି। ଲୋକମାନେ ଘରଦ୍ୱାର ଛାଡ଼ି ଆଶ୍ରୟ ସ୍ଥଳରେ ରହିଛନ୍ତି। ଆଉ କିଏ ରାସ୍ତା କଡ଼ରେ ଜୀବନ ଅତି ବାହିତ କରୁଛନ୍ତି। ଏପରି ସମୟରେ ସରକାର ବନ୍ୟା ନିୟନ୍ତ୍ରଣ କରିବା ପରିବର୍ତ୍ତେ ଦୁର୍ନୀତିର ଗୁମର ଖୋଲୁଥିବା ଜଣେ ଯନ୍ତ୍ରୀଙ୍କୁ ନୋଟିସ୍‌ କରୁଛନ୍ତି। ବାଲିଆପାଳ ପ୍ରଶାସନର ଏପରି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଉଛି।

Leave A Reply

Your email address will not be published.