‘ଚାଷୀଙ୍କ ସ୍ୱାର୍ଥରେ କାମ ନକରି ସରକାର ବୀମା କମ୍ପାନୀ ସ୍ୱାର୍ଥରେ କାମ କରୁଛନ୍ତି’

add-all

ଭୁବନେଶ୍ୱର: ବନ୍ୟା ପରେ କ୍ଷୟକ୍ଷତି କାହିଁକି ଆକଳନ କରାଯାଉନି ଏବଂ ବୀମା କମ୍ପାନୀକୁ ରାଜ୍ୟ ସରକାରଙ୍କ ଅନୁକମ୍ପା ପାଉଥିବାରୁ ଚାଷୀ ହାଇରାଣ ହେଉଛି ବୋଲି ବିଜେପି କୃଷକ ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୂରୋହିତ କହିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ସେ ରାଜ୍ୟ ସରକାରଙ୍କଠୁ ଜବାବ ମାଗିଛନ୍ତି।

ରାଜ୍ୟରେ ତିନୋଟି ବୀମା କମ୍ପାନୀ ରହିଛନ୍ତି। ୭୭୭ କୋଟି ଟଙ୍କା ଏହି ତିନି କମ୍ପାନୀ ୨୦୨୧ ମସିହାରେ ହୋଇଥିବା ମରୁଡି ପାଇଁ ଚାଷୀଙ୍କୁ କ୍ଷତିପୂରଣ ଦେବା କଥା। ହେଲେ ଚାଷୀମାନେ ଏଯାବତ ମରୁଡି ପଇସା ପାଇ ନାହାନ୍ତି। ଏବେ ମାତ୍ର ବୀମା ବାବଦକୁ ମାତ୍ର ୧୨୦ କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି। ଏହା କହିଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ପୂରୋହିତ।

ହଜାର ହଜାର ଚାଷୀ ଏବେ ବି ବୀମା ଟଙ୍କା ପାଇବେ ବୋଲି ଅପେକ୍ଷା କରି ବସିଛନ୍ତି। କିନ୍ତୁ ଏହି ବୀମା କମ୍ପାନୀକୁ ରାଜ୍ୟ ସରକାର ଅନୁକମ୍ପା ଦେଖାଇବାରୁ ଚାଷୀ ପ୍ରାପ୍ୟ ପାଇ ପାରୁ ନାହାନ୍ତି ବୋଲି ସେ କହିଛନ୍ତି। ଆଉ ରାଜ୍ୟ ସରକାର ସବୁ ଜାଣି ବି କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ତେଣୁ ରାଜ୍ୟ ସରକାର ଚାଷୀଙ୍କ ସ୍ୱାର୍ଥରେ ନଯାଇ ବୀମା କମ୍ପାନୀର ସ୍ଵାର୍ଥରେ କାମ କରୁଛନ୍ତି ବୋଲି ଏହି ବିଜେପି ନେତା ଦାବି କରିଛନ୍ତି। ଖୁବଶୀଘ୍ର ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ନମିଳିଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ କହିଛନ୍ତି।

ଏଥିସହ ବନ୍ୟା କ୍ଷୟକ୍ଷତିର ଆକଳନ କାହିଁକି ହୋଇନି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବାବଦକୁ କେନ୍ଦ୍ର ସରକାର ଓଡିଶାକୁ କୋଟି କୋଟି ଟଙ୍କା ଦେଉଛି। ଏବେ ବି ରାଜ୍ୟ ସରକାରଙ୍କ ପାଖରେ ହଜାରେ କୋଟି ଟଙ୍କା ଗଛିତ ହୋଇ ରହିଛି। ହେଲେ କେଉଁ କାରଣ ପାଇଁ କ୍ଷୟକ୍ଷତି ଆକଳନ ହେଉନି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ଆବଶ୍ୟକ ମାନବ ସମ୍ବଳ ଅଭାବ ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ବିଜେପି ଦାବି କରିଛି।

ad-week
Leave A Reply

Your email address will not be published.