ଲୋକାର୍ପିତ ହେଲା ବ୍ରହ୍ମପୁର ବନଖଣ୍ଡର ପ୍ରଥମ ଇକୋ ଟୁରିଜିମ୍‌

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ପର୍ୟ୍ୟଟନ କ୍ଷେତ୍ର ଘୋଡାହାଡ ଜଳ ଭଣ୍ଡାର ଠାରେ ଇକୋ ଟୁରିଜିମ୍‌ କ​‌​‌ମ୍ପ୍ଳେକ୍ସ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ)ଶଶି ପଲ ମୁଖ୍ୟ ଅତିଥି ଭାବେ ଯୋଗାଦେଇ ଏହାକୁ ଲୋକାର୍ପିତ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ(ଆର୍‌ସିସିଏଫ୍‌) ପ୍ରଶାନ୍ତ କୁମାର ମିଶ୍ର ଏବଂ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ଅମ୍ଲାନ ନାୟକ ଉପସ୍ଥିତ ଥିଲେ ।

ବ୍ରହ୍ମପୁର ବନଖଣ୍ଡ ଅଧିନରେ ଏହା ପ୍ରଥମ ଇକୋ ଟୁରିଜିମ୍‌ ପ୍ରକଳ୍ପ ବୋଲି କୁହାଯାଇଛି । ଏହା ଉଭୟ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଗବେଷଣାରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ପିସିସିଏଫ୍‌ ପଲ୍‌ କହିଥିଲେ ।

ଘୋଡ଼ାହାଡ଼ ଜଳ ଭଣ୍ଡାରକୁ କୁମ୍ଭିରଙ୍କ ସଂରକ୍ଷଣ କ୍ଷେତ୍ର ଭାବେ ବ୍ୟବହାର କରାଯାଉଛି। ପ୍ରତି ବର୍ଷ ଶୀତ ଋତୁରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଯାହା ଏହି ଜଳ ଭଣ୍ଡାରର ଶୋଭାକୁ ବୃଦ୍ଧି କରିଥାଏ। ତେଣୁ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଏହା ଏକ ଉତ୍କୃଷ୍ଟ କ୍ଷେତ୍ର ପାଲଟିବ ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀ ନାୟକ କହିଥିଲେ ।

ବର୍ତ୍ତମାନ ଏହିଠାରେ ୪୫ ଲକ୍ଷ ୬୦ ହଜାର ଟଙ୍କାରେ ନିର୍ମିତ ୱାଚ୍‌ ଟାୱାର୍‌ରେ ୪ଟି ସୁଟ୍‌ ପ୍ରସ୍ତୁତ କରାଯାଇଛି । ଏହାର ପରିଚାଳଣା ଦାୟିତ୍ୱ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗକୁ ପ୍ରଦାନ କରାଯାଇଛି। ମିଶନ ଶକ୍ତି ତରଫରୁ ସ୍ଥାନୀୟ ଖମ୍ବାରୀଗାଁ ଗ୍ରାମପଞ୍ଚାୟତର ମାଁ ବାଙ୍କେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀକୁ ତାହାର ପରିଚାଳନା ଦାୟିତ୍ୱ ମିଳିଛି । ପୂର୍ବରୁ ଏହି ମହିଳାମାନେ ଭୂବନେଶ୍ୱର ସ୍ଥିତ ଆଇଏଚଏମରେ ଇଣ୍ଡିଆନ, ଚାଇନିଜ ଏବଂ କଣ୍ଟିନେଣ୍ଟାଲ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ ନେଇଥିବା ସଂଘର ସଭାନେତ୍ରୀ ମୀରାବାଇ ମହାନ୍ତି ସୂଚନା ଦେଇଛନ୍ତି।

କାର୍ଯ୍ୟକ୍ରମରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ, ଚିକିଟି ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ସଞ୍ଜିବ କୁମାର ଦାଶବର୍ମା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଏ. ଗୋପାଳ ରାଓ, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.