ପତ୍ନୀଙ୍କୁ ମାରି ପାଇଖାନା ଟାଙ୍କିରେ ପକାଇଥିଲା ସ୍ୱାମୀ, ୫ ମାସ ପରେ ମିଳିଲା ମୃତଦେହ

add-all

କୋରାପୁଟ: ଘର ପାଇଖାନା ଟାଙ୍କିରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। କାକିରିଗୁମ୍ମା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତ ସ୍ୱାମୀ ଗିରଫ। ସେ ସ୍ତ୍ରୀକୁ ହତ୍ୟା ପରେ ମୃତଦେହ ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲେ। ଅଭିଯୁକ୍ତ ଜଣକ କାକିରିଗୁମ୍ମାର ଦଶରଥ ସାହୁ। ସେ ତାଙ୍କ ସ୍ତ୍ରୀ ଗୌରୀ ସାହୁକୁ ହତ୍ୟା କରିଥିବା ପୁଲିସ ନିକଟରେ ଦୋଷ ସ୍ୱୀକାର କରିଛନ୍ତି।

ସୂଚନା ମୁତାବକ, ୫ ମାସ ତଳେ ନିଖୋଜ ଥିଲେ ଏହି ମହିଳା। ଏ ସମ୍ପର୍କରେ ଜାଣିବା ପରେ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରିଥିଲେ ବାପ ଘର ଲୋକ। ଏନେଇ ଗତମାସ ୧୫ରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ତେବେ ଏନେଇ ଆଜି ମହିଳାଙ୍କ ବାପ ଘର ଲୋକଙ୍କୁ ଡାକି ହତ୍ୟାକାଣ୍ଡ ସମ୍ପର୍କରେ ଜଣାଇଥିଲା ଅଭିଯୁକ୍ତ। ପରେ ମହିଳାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଥାନାରେ ଜଣାଇବା ପରେ ପୁଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଧରି ପଚରାଉଚରା କରିଥିଲା। ପୁଲିସ ନିକଟରେ ଦଶରଥ ଦୋଷ ମାନିବା ସହ ହତ୍ୟାକାଣ୍ଡ ଘଟଣା ଓ ମୃତଦେହ ଲୁଚାଇଥିବା ସ୍ଥାନ ଦେଖାଇଥିଲେ।

ଅଭିଯୁକ୍ତ ପାଇଖାନାକୁ ଲାଗି ଏକ ଗାତ ଖୋଳିଥିଲେ। ଏହି ଗାତକୁ ଲାଗିଥିବା ପାଇଖାନା ଟାଙ୍କିରେ ଏକ କୋଣା କରି ମୃତଦେହକୁ ପକାଇ ଦେଇଥିଲା। ଗଳିତ ମୃତଦେହ ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି କୋରାପୁଟର ସାଇଣ୍ଟିଫିକ୍ ଟିମ୍‌।

ଅନ୍ୟପଟେ ଗୌରୀଙ୍କ ପରିବାର ଲୋକ ଏହି ଘଟଣାରେ ଭଣଜା ଭାଣିଜିଙ୍କ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଏସ୍‌ଡିପିଓ ଅଶ୍ୱିନୀ ନାୟକ କହିଛନ୍ତି, ହତ୍ୟାକାଣ୍ଡ ଘଟାଇବା ପରେ ପୁଲିସ ଆଖିରୁ ବର୍ତ୍ତିବାକୁ ନିଖୋଜର ନାଟକ କରିଥିବା ଅଭିଯୁକ୍ତ ସ୍ୱାମୀ। ପାରିବାରିକ କଳହକୁ କେନ୍ଦ୍ର କରି ସେ ଏଭଳି କାଣ୍ଡ ଘଟାଇଥିବା ପୁଲିସ ନିକଟରେ ମାନିଛନ୍ତି। ପ୍ରାୟ ୨୫ ବର୍ଷ ସଂସାର କରିବା ପରେ ହଠାତ୍ ଏହି ହତ୍ୟାକାଣ୍ଡ କରିଛି ସ୍ୱାମୀ। ଅଭିଯୁକ୍ତ ଦୋଷ ମାନିବା ସହ ପୁଲିସ ନିକଟରେ କହିଥିଲା ଯେ, ୨ ବର୍ଷ ତଳେ ଗୌରୀ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଗତ ୫ ମାସ ତଳେ ଦଶରଥ ଏଥିପାଇଁ ଔଷଧ ଆଣି ଗୌରୀଙ୍କୁ ଦେଇଥିଲେ। କିନ୍ତୁ ଗୌରୀ ଔଷଧ ଖାଇବାକୁ ମନା କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଆଉ ଏଥିରେ ରାଗିଯାଇ ଦଶରଥ ସ୍ତ୍ରୀ ଗୌରୀଙ୍କୁ ଠେଲି ଦେଇଥିଲେ। କାନ୍ଥରେ ଗୌରୀଙ୍କ ମୁଣ୍ଡ ପିଟି ହେବାରୁ ରକ୍ତଶ୍ରାବ ହୋଇ ମୃତ୍ୟୁ ହୋଇଥିଲା। ଗିରଫ ଭୟରେ ମୃତଦେହକୁ ପାଇଖାନା ଟାଙ୍କିରେ ଅଭିଯୁକ୍ତ ପକାଇ ଦେଇଥିଲା।

ad-week
Leave A Reply

Your email address will not be published.