ଗାଁ’ରେ ଅଜଣା ରୋଗ ଆତଙ୍କ, ୭ ଜଣଙ୍କର ମୃତ୍ୟୁ

add-all

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲିରେ ଅଜଣା ରୋଗର ଆତଙ୍କ। ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ଅଜଣା ରୋଗ। ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ୧୦ ଦିନ ଭିତରେ ଏହି ପ୍ରାଣଘାତୀ ରୋଗରେ ୭ ଜଣଙ୍କର ମୃତ୍ୟୁ ହେଲାଣି। ଆଜି ସକାଳୁ ହଳଦୀକୁଣ୍ଡ ଗାଁ ୩୫ ବର୍ଷୀୟ ଆଉତ୍ୟୁ ମାଡକାମୀଙ୍କର ମୃତ୍ୟୁ ହୋଇଛି। ସେ କିଛିଦିନ ଧରି ଅସୁସ୍ଥ ଥିଲେ। ଏବେ ଏହି ଗାଁ’ରେ ୧୨ ରୁ ୧୫ ଜଣ ଗୁରୁତର ହୋଇ ରହିଛନ୍ତି।

ଗତ କିଛିଦିନ ହେଲା ହଳଦୀକୁଣ୍ଡରେ ଅଜଣା ରୋଗକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। କାହାକୁ ଜ୍ୱର ହେଉଛି ତ, କାହାର ଗୋଡ଼ ଫୁଲିଯାଇଛି। ଘରେ ଘରେ ଶଯ୍ୟାଶାୟୀ ହୋଇ ରହିଛନ୍ତି ଅଜଣା ରୋଗରେ ଆକ୍ରାନ୍ତ ରୋଗୀ। ତିନି ଚାରି ଦିନ ଶଯ୍ୟାରେ ପଡ଼ି ରହିବା ପରେ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି।

ଘଟଣା ଜଣାପଡ଼ିବା ପରେ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ହେଲେ ଲୋକେ ଡାକ୍ତରଖାନା ଯିବାକୁ ରାଜି ହେଉନାହାନ୍ତି। ଯିଏ ମେଡିକାଲ ଯାଉଛି, ତାର ମୃତ୍ୟୁ ହେଉଛି ବୋଲି ଗାଁ ଲୋକେ ଭାବି ନେଇଛନ୍ତି। ଡାକ୍ତରୀ ଚିକିତ୍ସା ନ କରି ଏଠାର ଲୋକେ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଛନ୍ତି। ଏପରିକି ଡାକ୍ତରୀ ଦଳକୁ ବି ଲୋକେ ସହଯୋଗ କରୁନାହାନ୍ତି। ଯାହା ଫଳରେ ରୋଗ ନିରୁପଣରେ ସମସ୍ୟା ହେଉଥିବା ସୂଚନା ମିଳିଛି।

ଗତ ୧୫ ଦିନ ହେଲା ଏହି ରୋଗ ବ୍ୟାପିଥିବା ଲୋକେ କହିଛନ୍ତି। ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ ନନ୍ଦଙ୍କ କହିବା ଅନୁସାରେ, ମେଡିକାଲ ଟିମ୍ ଗାଁରେ ପହଞ୍ଚି ଯାଞ୍ଚ କରିଛନ୍ତି। ପ୍ରାଣ ହରାଇଥିବା ଲୋକମାନେ ପେଟ ରୋଗରେ ପୀଡ଼ିତ ଥିଲେ। ଗତ କିଛିଦିନ ଧରି ପ୍ରବଳ ଦେଶୀ ମଦ ପିଇଥିବା ପରୀକ୍ଷାରୁ ଜଣାପଡ଼ିଛି। ଏଣୁ ସବୁ ଦିଗରୁ ତଦନ୍ତ କରାଯାଉଛି। ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି। ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଚଢ଼ାଉ କରାଯାଉଛି। ମେଡିକାଲ ଟିମ୍‌ର ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.