
ନୂଆଦିଲ୍ଳୀ: ମଝିରେ ମଝିରେ ସ୍ମାର୍ଟଫୋନ୍ ବିସ୍ଫୋରଣର ଖବର ଦେଖିବାକୁ ମିଳିଥାଏ। ନିକଟରେ ଏହି ସ୍ମାର୍ଟଫୋନ୍ ବିସ୍ଫୋରଣ ଘଟି ଜଣେ ମହିଳାଙ୍କ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ରେଡ୍ମି ଫୋନ୍ ବ୍ୟବହାର କରି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଜଣେ ୟୁଟ୍ୟୁବର୍ ଏହି ଅଭିଯୋଗ ଆଣିଛନ୍ତି।
ୟୁଟ୍ୟୁବର୍ ଏମ୍ଟି ଟକ୍ ୱାଇଟି ପକ୍ଷରୁ ଅଭିଯୋଗ ହୋଇଛି ଯେ ରେଡ୍ମି ୬ଏ ବିସ୍ଫୋରଣ ଘଟିବାରୁ ତାଙ୍କ ସଂପର୍କୀୟ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ମହିଳା ଜଣକ ଶୋଇବା ବେଳେ ତାଙ୍କ ଫୋନ୍ ତାଙ୍କ ତକିଆ କଡ଼ରେ ରଖିଥିଲେ। ଅଚାନକ ଫୋନ୍ଟି ବିସ୍ଫୋରଣ ହେବାରୁ ମହିଳାଙ୍କର ମୃତ୍ୟୁ ଘଟିଛି।
ୟୁଟ୍ୟୁବର୍ ଜଣକ ସେହି ସମୟର କିଛି ଫଟୋ ବି ସେୟାର କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଯେ ସ୍ମାର୍ଟଫୋନ୍ର ଆଗପଟ ପୂରାପୂରି ଭାବେ ପୋଡ଼ି କରି ନଷ୍ଟ ହୋଇଯାଇଛି। ଫୋନ୍ଟିର ବ୍ୟାଟେରୀ ବି ଫୁଲିଯାଇଥିବା ଫଟୋରେ ଦେଖିବାକୁ ମିଳିଛି।
ସେ ରେଡ୍ମି ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ଯେହେତୁ ତାଙ୍କ ବ୍ରାଣ୍ଡ୍ର ଫୋନ୍ ପାଇଁ ଏପରି ଅଘଟଣା ଘଟିଛି ଏବେ କମ୍ପାନିର ଦାୟିତ୍ବ ହେଉଛି ସେ ଏହି ଘଟଣାରେ ହସ୍ତକ୍ଷେପ କରୁ ଓ ସମର୍ଥନ ଦେଉ।
ତାଙ୍କ ପୋଷ୍ଟ୍ରେ ସେ ରେଡ୍ମି ଇଣ୍ଡିଆ ଏବଂ ସାଇମିର ଗ୍ଲୋବାଲ୍ ଭାଇସ୍ ପ୍ରେସିଡେଣ୍ଟ୍ ମନୁ କୁମାରଙ୍କୁ ବି ଟ୍ୟାଗ୍ କରିଛନ୍ତି। ଏହି ଟ୍ବିଟ୍ରେ କମ୍ପାନି ପକ୍ଷରୁ ବି ଉତ୍ତର ଆସିଛି। ମାମଲାର ଯାଞ୍ଚ ହେଉଛି ବୋଲି କମ୍ପାନି ପକ୍ଷରୁ ଉତ୍ତର ମିଳିଥିବା ଦେଖିବାକୁ ମିଳିଛି।