ଶିକ୍ଷୟିତ୍ରୀଙ୍କୁ ହାଣିଲେ ୩ ଲୁଟେରା…

add-all

ବାଲେଶ୍ୱର: ଲୁଟ୍‌ରେ ବାଧା ଦେବାରୁ ଶିକ୍ଷୟିତ୍ରୀଙ୍କୁ ଭୁଜାଲିରେ ହାଣି ପକାଇଲେ ଲୁଟେରା। ଆକ୍ରମଣରେ ଶିକ୍ଷୟିତ୍ରୀଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ଜଣକ ରେମୁଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆଜି ବାଲେଶ୍ୱର ରେମୁଣା ବ୍ଲକ ନରହରିପୁର ବାଇପାସ୍ ନିକଟରେ ଏହି ଅଘଟଣ ଘଟିଛି। ବାଇକ୍ ଆରୋହୀ ୩ ଲୁଟେରା ଆକ୍ରମଣ କରିଥିବା ଶିକ୍ଷୟିତ୍ରୀ ଜଣକ ଅଭିଯୋଗ କରିଛନ୍ତି।

ଆକ୍ରମଣର ଶିକାର ଶିକ୍ଷୟିତ୍ରୀ ଜଣକ ରେମୁଣା ଦିଖାପଦା ୟୁପି ସ୍କୁଲର ହରପ୍ରିୟା ନାୟକ। ସେ ଅପରାହ୍ନ ପ୍ରାୟ ୪ଟା ୪୦ ସମୟରେ ସ୍କୁଲରୁ ସ୍କୁଟିରେ ଫେରିବା ବେଳେ ବାଟରେ ଲୁଟେରାଙ୍କ ହାବୁଡ଼ରେ ପଡ଼ିଯାଇଥିଲେ।

ଏନେଇ ଶିକ୍ଷୟିତ୍ରୀ ଜଣକ କହିଛନ୍ତି, ସେ ସ୍କୁଟିରେ ଖୁବ୍ ଦୃତଗତିରେ ଆସୁଥିବା ବେଳେ ୩ ବାଇକ୍ ଆରୋହୀ ହଠାତ୍ ଗାଡ଼ି ରୋକିବାକୁ ଚେଷ୍ଟା କରିଥିଲେ। ସ୍କୁଟିକୁ ବ୍ରେକ୍ ଦେବା ବେଳେ ସେ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଟଣା ଓଟରା କରିଥିଲେ। ତାଙ୍କ ହେଲମେଟ କାଢ଼ିବାକୁ ଚେଷ୍ଟା କରିଥିଲେ। ହେଲେ ସେ ହାତରେ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ହାତକୁ ହାଣି ଦେଇଥିଲେ।

ସେ ଚିତ୍କାର କରୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରୁ ଲୋକ ଆସିଯିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ପରେ ବାଟୋଇଙ୍କ ସହାୟତା କ୍ରମେ ଏଠାରୁ ଅଧ କିଲୋମିଟର ଦୂର ଘରେ ପହଞ୍ଚିବା ପରେ ସେଠାରୁ ପରିବାର ଲୋକେ ଡାକ୍ତରଖାନା ଆଣିଥିଲେ। ୩ ଦୁର୍ବୃତ୍ତ ମୁଖା ପିନ୍ଧି ଆସିଥିବାରୁ ସେମାନଙ୍କ ମୁହଁ ଦେଖି ପାରି ନ ଥିବା ଆହତ ଶିକ୍ଷୟିତ୍ରୀ କହିଛନ୍ତି। ଘଟଣା ସମ୍ପର୍କରେ ସେ ପୁଲିସରେ ଏତଲା ଦେଇଛନ୍ତି।

ad-week
Leave A Reply

Your email address will not be published.