
ଗୋପାଳପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ମଦ ମାଫିଆ ଓ ବିଜେଡ଼ି ଗୁଣ୍ଡାଙ୍କ ଆତଙ୍କରାଜ୍ ବୃଦ୍ଧି ପାଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ଏନେଇ ଆଜି ଗାନ୍ଧୀନଗର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା । ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବିଭିନ୍ନ ଅଭିଯୋଗରେ ରାଜ୍ୟ ସରକାର ଗିରଫ କରିବା ପରେ ଗୋପାଳପୁର ରାଜନୀତିକୁ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡ଼ି ଗୋପବନ୍ଧୁ ଦାସ ମଙ୍ଗ ଧରିଛନ୍ତି । ବିଡ଼ିଓ, ତହସିଲଦାର, ଥାନାକୁ ଦଳୀୟ ସ୍ୱାର୍ଥରେ ସେ ବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜେପି । ପ୍ରଶାସନିକ ଅଧିକାରୀ ଓ ଥାନା ଅଧିକାରୀ ମାନେ ବିଜେଡ଼ିର କର୍ମୀ ଭାବେ କାମ କରୁଥିବା ଅଭିଯୋଗ ହୋଇଛି । ଗତ ୧୯ ତାରିଖରେ ଦୁର୍ନତୀ ସଂପର୍କରେ ତଥ୍ୟ ମାଗିବାକୁ ଯାଇ ସୂଚନା ଅଧିକାର କର୍ମୀ ବିଶ୍ୱମ୍ବର ପାତ୍ରଙ୍କୁ ରଙ୍ଗେଇଲୁଣ୍ଡା ବିଡ଼ିଓଙ୍କ ଉପସ୍ଥିିତିରେ ଗାଳିଗୁଲଜ କରିଥିଲେ ବିଜେଡି ନେତା।ସେ ବାହାରକୁ ଆସିବା ପରେ ତାଙ୍କୁ ଅପହରଣ କରିନେଇ ମାଡ଼ ମାରିବା ଘଟଣା ବିଜେଡ଼ି ଗୁଣ୍ଡାଙ୍କ କଳାକାରନାମାକୁ ପଦାରେ ପକାଇ ଦେଇଥିବା କହିଛନ୍ତି ଶ୍ରୀ ଜେନା । କୁସୁମୀ ଡ଼ବଲ୍ ମଡ଼ର ମାମଲାର ମୁଖ୍ୟ ଅଭିଯୁକ୍ତ ସିଏଚ ୍. ବାଇରୀ ପାତ୍ର ଜାମିନୀରେ ଆସିବା ପରେ ଗୋପବନ୍ଧୁ ଦାସଙ୍କ ଛତ୍ରଛାୟା ତଳେ ରହି ସେ ନିଜର ଅସାମାଜିକ କାର୍ଯ୍ୟକଳାପ ଚଳାଇଛି । ବ୍ଲକରେ ଏନ ଆର ଜିଏସ ରେ ହୋଇଥିବା କାମର ଆର ଟି ଆଇ ତଥ୍ୟ ମାଗି ଥିଲେ ବିଶ୍ବମ୍ବର ପାତ୍ର। କାଳେ ଦୁର୍ନୀତି ପଦାରେ ପଡିଯିବ ଆଶଙ୍କା କରି ତାଙ୍କୁ ଧମକ ଦେବା ସହିତ ଆରଟିଆଇ କୁ ଫେରାଇ ନେବାକୁ ଚାପ ପ୍ରୟୋଗ କରିଥିଲେ।ବିଶ୍ୱମ୍ବର ପାତ୍ରଙ୍କୁ ସେମାନେ ଏକ ଅପହରଣ କରିନେବା, ଜୀବନରେ ମାରିଦେବାକୁ ଧମକ ଦେବା, ଏବଂ ସୂଚନା ଅଧିକାର ଆଇନ ବଳରେ ମିଳିଥିବା କାଗଜପତ୍ରକୁ ଛଡ଼ାଇ ନେଇ ବ୍ଲାଙ୍କ୍ ଷ୍ଟାମ୍ପ କାଗଜରେ ଦସ୍ତଖତ ନେବା ଘଟଣା କୁ ନେଇ ରଙ୍ଗେଇଲୁଣ୍ଡା ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି ଏସବୁ ଅପରାଧିକ ଷଡ଼ଯନ୍ତ୍ର ପଛରେ ଗୋପବନ୍ଧୁ ଦାସଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ବିଜେପି ଅଭିଯୋଗ କରିଛି । ସୂଚନା ଅଧିକାର ଆଇନ ଅନୁସାରେ ଦୁର୍ନୀତି ପଦାରେ ପଡ଼ିବା ଭୟରେ ଉକ୍ତ ସୂଚନା ଅଧିକାର କର୍ମୀ ବିଶ୍ୱମ୍ବର ପାତ୍ରଙ୍କୁ ଥାନାରେ ଏତଲା ନଦେବା ପାଇଁ ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ଅଜିତ୍ ଦାସ, ବର୍ତମାନର ଜିଲ୍ଲା ପରିଷଦ ଉପଧ୍ୟକ୍ଷା ରାଜେଶ୍ୱର ଦୋରା ଚାପ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଏବଂ ଘଟଣା ସ୍ଥଳରେ ଅପହରଣ କରିଥିବା ଆମ୍ବ ତୋଟାରେ ନିସ୍ତୁକ ମାଡ଼ ମାରିବା ସହ ଗୋପବନ୍ଧୁ ଦାସଙ୍କ ସହ ମୋବାଇଲ୍ରେ କଥା କରାଇ ବିଶ୍ୱମ୍ବର ପାତ୍ରଙ୍କୁ ବିଡ଼ିଓ ପାଖକୁ ଯିବାକୁ ବାଧ୍ୟ କରିଥିଲେ । ଯାହାର ଏକ ଅଡ଼ିଓ ରେକଡ଼ିଂ ରହିଥିବା ଉଭୟ ବିଶ୍ୱମ୍ବର ପାତ୍ର ଏବଂ ଜିଲ୍ଲା ବିଜେପି ସଭାପତି ବିଭୂତି ଜେନା କହିଛନ୍ତି । ତୁରନ୍ତ ଷଡ଼ଯନ୍ତ୍ରକାରୀକୁ ଗିରଫ କରି ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଦାବୀ କରିଛି ବିଜେପି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି । ଆଜିର ଏହି ଖବରଦାତା ସମ୍ମିଳନୀରେ ବରିଷ୍ଠ ବିଜେପି ନେତା କାହ୍ନୁଚରଣ ପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ଜିଲ୍ଲା ସାଧାରଣ ସଂପାଦକ ପ୍ରଭାତ କିରଣ ଷଡ଼ଙ୍ଗି, ସୁନିଲ ସାହୁ, ଯୁବ ମୋର୍ଚ୍ଚା ଉପସଭାପତି ଜଗମୋହନ ପାତ୍ର, ଗୋଳନ୍ଥରା ମଣ୍ଡଳ ସଭାପତି ସନତ ନାୟକ, ଓବିସି ମୋର୍ଚ୍ଚା ସଭାପତି ସୁନିଲ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।