ଅଶାନ୍ତ ସମୁଦ୍ର ଗର୍ଭରେ ପୁରୀ-କୋଣାର୍କ ବେଳାମାର୍ଗର ଆଉ ଶହେ ମିଟର

add-all

କୋଣାର୍କ :କୋଣାର୍କ ଚନ୍ଦ୍ରଭାଗା ଉପକୂଳରେ ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର। ଚନ୍ଦ୍ରଭାଗା ବଜାରର ଉଭୟ ପାର୍ଶ୍ବ ଅର୍ଥାତ୍‌ ପୂର୍ବ ଓ ପଶ୍ଚିମ ଦିଗରେ ସମୁଦ୍ର ବିଭିନ୍ନ ସ୍ଥାନରେ କୂଳ ଖାଉଥିବାର ପରିଲକ୍ଷିତ ହୋଇଛି। ପୂର୍ବ ଦିଗରେ କେଳୁଣୀ ମୁହାଣ ପଟକୁ ଜନବସତି ନଥିବାରୁ ସମୁଦ୍ର କୁଳ ଖାଉଥିବା ସ୍ଥାନରେ ବାଲି ଅତଡ଼ା ଧସିବା ଜାରି ରହିଛି। ଚଳିତ ମାସ ୧୧ ତାରିଖରେ ବେଳାମାର୍ଗର ଇକୋ ରିଟ୍ରିଟ୍‌ ହେଉଥିବା ସ୍ଥାନରେ ୩ଶହ ମିଟର ରାସ୍ତା ଧୋଇନେଇଥିଲା। ଗତକାଲି ଅମାବାସ୍ୟା ତିଥିରେ ଓ ଆଜି ଉଚ୍ଚ ଜୁଆର ଆସି ସେହି ସ୍ଥାନରେ ଆଉ ପ୍ରାୟ ଶହେ ମିଟର ରାସ୍ତା ଧୋଇନେଇଥିବା ଦେଖିବାକୁ ମିଳିଛି। ଏହାପରେ ଆଜି ପୁଣି ସେହି ସ୍ଥାନରେ ପ୍ରଶାସନ ପକ୍ଷରୁ ବାଲି ବସ୍ତା ଓ ବଲ୍‌ହା ପୋତି ମରାମତି କାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ ଚନ୍ଦ୍ରଭାଗାରୁ ପଶ୍ଚିମ ପଟରେ ଥିବା କୋଣାର୍କ- ପୁରୀ ବେଳାମାର୍ଗ ରାସ୍ତାରେ ସମୁଦ୍ର କୂଳଖାଉଛି। ଇକୋ ରିଟ୍ରିଟ୍‌ ଉତ୍ସବ ସ୍ଥଳ ନିକଟରେ ଖୋଲିଥିବା ବଙ୍ଗୋପସାଗର ଓ କୁଶଭଦ୍ରା ନଦୀର ମୁହାଣ ନିକଟରେ ପୁରୁଣା ବେଳାମାର୍ଗ ରାସ୍ତାର ପ୍ରାୟ ୩ଶହ ମିଟର ସମୁଦ୍ର ଲହଡ଼ି ମାଡ଼ରେ ଧସିଯିବା ସହ ବେଳାମାର୍ଗ ପାଇଁ ବିପଦ ସୃଷ୍ଟି କରିଥିଲା। ପ୍ରଶାସନ ବଲ୍‌ହା, ଦସ୍ତା ଓ ବାଲିବସ୍ତା ପକାଇ ବେଳାମାର୍ଗକୁ ମରାମତି କରିବାକୁ ଚେଷ୍ଟା କରିଥିଲା। ଏପରିସ୍ଥଳେ ମହାଳୟା ଅମାବାସ୍ୟା ତିଥିରେ ସମୁଦ୍ରର ବଡ଼ବଡ଼ ଜୁଆର ପୂର୍ବରୁ ଅତଡ଼ା ଖସିଥିବା ସ୍ଥାନର ନିକଟବର୍ତ୍ତୀ ଅଞ୍ଚଳରେ ବାଲି ଅତଡ଼ା ଖାଇବା ଆରମ୍ଭ କରିଛି। ଆଜି ପ୍ରଶାସନ ପକ୍ଷରୁ କୂଳ ଖାଇଥିବା ସ୍ଥାନରେ ସମୁଦ୍ର ଜୁଆରର ବାଟ ଓଗାଳିବାକୁ ବାଲିବସ୍ତା ଦେଇ ଅସ୍ଥାୟୀ ବାଡ଼ ପକାଯାଇଛି। ତେଣୁ ସମୁଦ୍ର କୂଳ ଖାଉଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ ପଥର ପ୍ୟାକିଂ ବ୍ୟବସ୍ଥା ପାଇଁ ଦାବି ଉଠିଛି। ଏପରିକି ବାଲି ବସ୍ତା ନୁହେଁ, ଜିଓ ସିନ୍ଥେଟିକ ସୁରକ୍ଷା ବାଡ଼ ଜରୁରୀ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ସୋମବାର ସକାଳ ସମୟରେ ଚନ୍ଦ୍ରଭାଗା ବଜାର ନିକଟରେ ସମୁଦ୍ରର ଜୁଆର ବ୍ୟବସାୟୀଙ୍କୁ କିଛି ସମୟ ପାଇଁ ଭୟଭୀତ କରିଥିଲା। ସମୁଦ୍ର କୁଳରେ ଦୋକାନ କରିଥିବା ବ୍ୟବସାୟୀଙ୍କ ଦୋକାନ ଆଡ଼କୁ ସମୁଦ୍ର ଜୁଆର ମାଡ଼ିଆସିଥିଲା। ତେଣୁ ବେଳାମାର୍ଗର ସୁରକ୍ଷା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ad-week
Leave A Reply

Your email address will not be published.