ନୂଆଗଡ଼ ବୁରୁଜ ନିକଟରୁ ମହିଳାଙ୍କ ମୃତଦେହ ଠାବ

ଅସ୍ତରଙ୍ଗ: ସାମୁଦ୍ରିକ ଥାନା ଅନ୍ତର୍ଗତ ନୂଆଗଡ଼ ମାଛଧରା ଜେଟି ନିକଟସ୍ଥ ଏକ ସ୍ପର ନିକଟରୁ ଜଣେ ମହିଳାଙ୍କ ମୃତଦେହ ସ୍ଥାନୀୟ ପୁଲିସ୍ ଠାବ କରିଛି। ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁ ପରେ ଏଠାକୁ ମୃତଦେହ ଆସି କିପରି ଲାଗିଲା ତାକୁ ନେଇ ସନ୍ଦେହ ବଢୁଛି। ମୃତ ମହିଳାଙ୍କର ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେ ଏକ ନାଲି ରଙ୍ଗର ଶାଢ଼ୀ, ସବୁଜ ରଙ୍ଗର ବ୍ଳାଉସ୍ ପିନ୍ଧିଥିଲା ବେଳେ ମୃତଦେହ ଠାବ ବେଳେ ପିନ୍ଧିଥିବା ଶାଢ଼ୀଟି କେବଳ ଅଣ୍ଟାଠାରୁ ତଳକୁ ରହିଛି। ତାଙ୍କ ମୁହଁ କଳା ପଡ଼ିଯିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ ଉକ୍ତ ମହିଳାଙ୍କ ଶବ ଦେବୀନଦୀର ନୂଆଗଡ଼ ସ୍ଥିତ ନଦୀବନ୍ଧ ବୁରୁଜ ନିକଟରେ ଆଜି ସକାଳୁ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ସାମୁଦ୍ରିକ ଥାନା ଅଧିକାରୀ ବାମଦେବ ନନ୍ଦ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଶବକୁ ଜବତ କରିବା ସମେତ ତାଙ୍କର ପରିଚୟ ବିଷୟରେ ଅଧିକ ଅନୁସନ୍ଧାନ ଜାରିରଖିଛନ୍ତି। ମହିଳାଜଣକ ବିବାହିତ, ସୁସ୍ଥ ମସ୍ତିଷ୍କ ଥିଲା ଭଳି ତାଙ୍କ ବେଶଭୂଷାରୁ ଜଣାପଡୁଛି। ମୃତକଙ୍କ ପରିଚୟ ମିଳିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିବ ବୋଲି ପୁଲିସ୍ କହୁଛି।

ad-week
Leave A Reply

Your email address will not be published.