ଲୋକଙ୍କୁ ଗୋଟା କୁକୁଡ଼ା ଓ ମଦ ବାଣ୍ଟିଲା କେସିଆରଙ୍କ ଦଳ, ଭିଡିଓ ଭାଇରାଲ

add-all

ହାଇଦ୍ରାବାଦ: ନିର୍ବାଚନ ବେଳେ ସବୁ ରାଜନୀତିକ ଦଳ ଲୁଚାଛପାରେ ଲୋକଙ୍କୁ ମଦ ଓ ମାଂସ ବାଣ୍ଟିବା କଥା ଆପଣ ଜାଣିଥିବେ। ହେଲେ ନିର୍ବାଚନ ନଥିବା ବେଳେ ତେଲେଙ୍ଗାନାରେ କ୍ଷମତାସୀନ କେସିଆର ସରକାର ଲୋକଙ୍କୁ ଗୋଟା କୁକୁଡ଼ା ଓ ଗୋଟିଏ ଲେଖାଏ ମଦ ବୋତଲ ବାଣ୍ଟିଛି। ଏହି ମଦ ଓ କୁକୁଡ଼ା ଲୋକଙ୍କୁ ବାଣ୍ଟବା ବେଳର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି।
ଆସନ୍ତାକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିଜର ଜାତୀୟ ରାଜନୀତିକ ଦଳ ଲଞ୍ଚ କରିବେ। ଏହାର ଦିନକୁ ପୂର୍ବରୁ ତାଙ୍କ ଦଳର ଜଣେ ନେତା ମଦ ଓ କୁକୁଡ଼ା ବାଣ୍ଟିଛନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ତେଲେଙ୍ଗାନା ରାଷ୍ଟ୍ର ସମିତିର ନେତା ରାଜାନାଲା ଶ୍ରୀହରି ୱାରଙ୍ଗଲରେ ମଦ ଓ କୁକୁଡ଼ା ବାଣ୍ଟୁଛନ୍ତି। ଏଠାରେ କେସିଆରଙ୍କ ଗୋଟିଏ ବିରାଟ କଟଆଉଟ ରହିଛି।
ଯେଉଁ ଗାଡ଼ିରେ ମଦ ଓ ଜୀବନ୍ତ କୁକୁଡ଼ା ରଖାଯାଇଛି, ସେଥିରେ ହିଁ କେସିଆରଙ୍କ ଫଟୋ ଲଗାଯାଇଛି। ଲୋକମାନେ ଲମ୍ବା ଲାଇନରେ ଆସି ବେଶ ଆନନ୍ଦର ସହ ଗୋଟିଏ ମଦ ବୋତଲ ଓ ଗୋଟା କୁକୁଡ଼ା ନେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏଥିସହ ସେମାନେ କ୍ୟାମେରାକୁ ଫଟୋ ପୋଜ ମଧ୍ୟ ଦେଇଛନ୍ତି।
୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେସିଆର ଦଶହରାରେ ନୂଆ ଜାତୀୟ ରାଜନୀତିକ ଦଳ ଲଞ୍ଚ କରିବାକୁ ଯାଉଛନ୍ତି। ବୁଧବାର କେସିଆର ଦଳର ସମସ୍ତ ବିଧାୟକ, ସାଂସଦ ଓ ରାଜ୍ୟ କାର୍ଯ୍ୟକାରିଣୀ କମିଟିରେ ଥିବା ସଦସ୍ୟଙ୍କ ସହ ବୁଧବାର ବୈଠକ କରିବେ। ତେଲେଙ୍ଗାନା ଭବନରେ ଏହି ବୈଠକ ବସିବ। ଏଠାରେ ଟିଆରଏସ୍‌କୁ ଜାତୀୟ ପାର୍ଟି ଭାବେ ନାମିତ କରିବାକୁ ଗୋଟିଏ ସଂକଳ୍ପ ପାରିତ କରାଯିବ।

ad-week
Leave A Reply

Your email address will not be published.