କଂଗ୍ରେସ ସଭାପତି ନିର୍ବାଚନରେ ଭୋଟ ଦେଲେନି ମୋକିମ

add-all

ଭୁବନେଶ୍ବର: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ କଂଗ୍ରେସ ସଭାପତି ନିର୍ବାଚନରେ ଭୋଟ ଦେଲେ ନାହିଁ। ବାହାରେ ଥିବାରୁ ଭୋଟ ଦେବାକୁ ଆସିପାରିବେନି ବୋଲି କହିଲେ। ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇ ଚର୍ଚ୍ଚାରେ ଥିଲେ ମୋକିମ।
ଆଜି ସମଗ୍ର ଦେଶରେ କଂଗ୍ରେସର ପରବର୍ତ୍ତୀ ସଭାପତି ମନୋନୀତ କରିବା ପାଇଁ ଭୋଟିଂ ହେଉଛି। କଂଗ୍ରେସର ପ୍ରାୟ ୯ ହଜାର ପଦାଧିକାରୀ ଦଳର ଏହି ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ପରବର୍ତ୍ତୀ ଅଧ୍ୟକ୍ଷ ବାଛୁଛନ୍ତି। ସଭାପତି ପଦ ପାଇଁ ଗୋଟିଏ ପଟେ ମଲ୍ଲିକାର୍ଜୁନ ଖାଡଗେ ଥିବା ବେଳେ ଅନ୍ୟପଟେ ଶଶି ଥରୁର ରହିଛନ୍ତି। ସଂପୂର୍ଣ୍ଣ ନିରପେକ୍ଷ ଓ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ କରିବା ପାଇଁ ପ୍ରତି ରାଜ୍ୟରେ ଦଳ ପକ୍ଷରୁ ବୁଥ କରାଯାଇଛି।

ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସରେ ସଭାପତି ବାଛିବା ପାଇଁ ନିର୍ବାଚନ ହେଉଥିଲେ ମଧ୍ୟ ବିଧାୟକ ମହମ୍ମଦ ମୋକିମ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି। ଦଳୀୟ କନ୍ଦଳ ନା ଆଉ କିଛି କାରଣ ପାଇଁ ମୋକିମ ଏପରି ପଦକ୍ଷେପ ନେଲେ, ତା’କୁ ନେଇ ଚର୍ଚ୍ଚା ଜାରି ରହିଛି। ତେବେ ସେ ବାହାରେ ଥିବାରୁ ଭୋଟ ଦେବାକୁ ଆସି ପାରି ନଥିବା କହିଛନ୍ତି। କିନ୍ତୁ ସେ ରାଜ୍ୟ ବାହାରେ ନା ଦେଶ ବାହାରେ ଅଛନ୍ତି, ସେକଥା ସ୍ପଷ୍ଟ କରି ନାହାନ୍ତି।
ଏହାପୂର୍ବରୁ ବିଧାୟକ ମହମ୍ମଦ ମୋକିମ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପକୁ ଅବମାନନା କରିଥିଲେ। ଦଳ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା। ତେବେ ସେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ଏହାକୁ ନେଇ ତାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା। ଏହାର ଜବାବ ମୋକିମ ଦେଇଥିଲେ ବି ହାଇକମାଣ୍ଡ ତାଙ୍କୁ କ’ଣ ପରାମର୍ଶ ଦେଇଥିଲେ, ସେକଥା ଜଣାପଡ଼ିନି।

ad-week
Leave A Reply

Your email address will not be published.