
ମୁମ୍ବାଇ: କୁହାଯାଏ ଯେ ରିଆଲିଟି ସୋ’ ଲୋକମାନଙ୍କ ପ୍ରତିଭାକୁ ଚିହ୍ନିଥାଏ ଏବଂ ସେମାନଙ୍କୁ ସଫଳତା ପାଇଁ ଏକ ପ୍ଲାଟଫର୍ମ ଦେଇଥାଏ। ହେଲେ ସଙ୍ଗୀତ ଜଗତରେ କିଛି ବଡ କରିବାର ସ୍ୱପ୍ନ ଦେଖି ଇଣ୍ଡିଆନ୍ ଆଇଡଲ୍ ୧୩କୁ ଆସିଥିବା ରିତୋ ରିବାଙ୍କୁ ସେହି ପ୍ଲାଟଫର୍ମ ମିଳିନଥିଲା। ସୁମଧୁର ଏବଂ ହୃଦୟକୁ ଛୁଇଁବା ଭଳି ଗୀତ ଗାଇବା ସତ୍ତ୍ବେ ତାଙ୍କୁ ସୋ’ରୁ ବିଦା କରି ଦିଆଯାଇଥିଲା। ହେଲେ କଥାରେ ଅଛି ଯଦି ଆପଣଙ୍କର ଦକ୍ଷତା ଅଛି, ତେବେ ଆପଣଙ୍କୁ ଆଗକୁ ବଢ଼ିବାକୁ କେହି ଅଟକାଇ ପାରିବେ ନାହିଁ। କିଛି ସେଭଳି ଘଟିଛି ରିତୋ ରିବାଙ୍କ ସହ।
ଭଲ ଗୀତ ଗାଇ ମଧ୍ୟ ରିତୋ ରିବାଙ୍କୁ ଇଣ୍ଡିଆନ୍ ଆଇଡଲ୍ ୧୩ରୁ ବିଦା କରାଯାଇଥିବା ବେଳେ ଏବେ ସେ ନିଜର ଏକ ରୋମାଣ୍ଟିକ ଗୀତ ରିଲିଜ୍ କରିଥିବା ଜଣାପଡ଼ିଛି। ସୋ’ ଥିଏଟର ରାଉଣ୍ଡରେ ରିତୋ ଯେଉଁ ଗୀତ ଗାଇଥିଲେ, ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ସୋ’ର ଜଜ୍ ତାଙ୍କୁ ବିଦା କରିଥିଲେ ବି ଶ୍ରୋତାଙ୍କ ହୃଦୟରୁ ବିଦା ହୋଇପାରିନଥିଲେ ରିତୋ। ତାଙ୍କ ଲୋକପ୍ରିୟତା ବଢ଼ିବା ସହ ଏବେ ସେ ହୀର-ରାନଝା ନାମକ ଏକ ରୋମାଣ୍ଟିକ ଗୀତ ନେଇ ଆସିଛନ୍ତି।
ଲୋକପ୍ରିୟ ଟେଲି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ରିତୋ ରିବାଙ୍କ ରୋମାଣ୍ଟିକ ଗୀତରେ ନଜର ଆସିଛନ୍ତି। ଶିବଙ୍ଗୀଙ୍କ ସହ ରୋହିତ ଖଣ୍ଡେଲୱାଲ ମଧ୍ୟ ଏହି ଗୀତରେ ଅଭିନୟ କରିଛନ୍ତି। ଶିବାଙ୍ଗୀ ଯୋଶୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଗୀତର କିଛି ଝଲକ ସେୟାର କରି ପ୍ରଶଂସକମାନଙ୍କୁ ଏହି ଗୀତ ବିଷୟରେ ସୂଚନା ଦେଇଛନ୍ତି। ରିତୋ ରିବାଙ୍କ ଏହି ରୋମାଣ୍ଟିକ୍ ଗୀତ ରିଲିଜ୍ ହୋଇସାରିଛି। ତାଙ୍କର ଏହି ଗୀତକୁ ବହୁତ ପସନ୍ଦ କରାଯାଉଛି। ଗୀତ ସହିତ ଏହାର ଭିଡିଓ ମଧ୍ୟ ପ୍ରଶଂସକଙ୍କ ହୃଦୟ କିଣିବାରେ ଲାଗିଛି। ରିତୋ ରିବାଙ୍କ ଗୀତ ପ୍ରଶଂସକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଉଥିବା ଦେଖାଯାଇଛି।