ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟିତ

add-all

ଭୁବନେଶ୍ବର/କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି। ଏହି ନୂତନ ଚିକିତ୍ସାଳୟ କମ୍ଲେକ୍ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ  ଓପିଡି ୟୁନିଟ, କାଜୁଆଲଟି ଓ ଟ୍ରାମା କେୟାର, ୫ ଶଯ୍ୟା ବିଶିଷ୍ଟ ଟ୍ରାଉମା ଆଇସିୟୁ, ରେଡିଓଲୋଜି, ଏମ୍‌ଆରଆଇ ସିଟି ସ୍କାନ ସୁବିଧା, ଉନ୍ନତ ଧରଣର ଓଟି କମ୍ଲେକ୍ସ, ୧୫ ଶଯ୍ୟା ବିଶିଷ୍ଟ ଏସ୍‌ଏନ୍‌ସିୟୁ ସହିତ କଙ୍ଗାରୁ ମାତୃସେବା ସୁବିଧା, ୩୪ ଶଯ୍ୟା ବିଶିଷ୍ଟ  ଆଇସିୟୁ ବ୍ୟବସ୍ଥା କରାଯାଇଛି।

ଭର୍ଚୁଆଲ ଜରିଆରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଏହି ଆଧୁନିକ ହସ୍‌ପିଟାଲ କେନ୍ଦ୍ରାପଡା ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଜିଲ୍ଲାର ରୋଗୀମନଙ୍କୁ ଆଉ ଚିକିତ୍ସା ପାଇଁ ଆଉ କଟକ ବା ଭୁବନେଶ୍ବର ଯିବା ଆବଶ୍ୟକ ନାହିଁ। ନିଜ ଜିଲ୍ଲାରେ ହିଁ ସେମାନେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ।

ରାଜ୍ୟରେ ସ୍ବାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ବିନା ପଇସାରେ ଭଲ ଚିକିତ୍ସା ପାଇପାରୁଛନ୍ତି । ଲକ୍ଷ ଲକ୍ଷ ପରିବାର ଉପକୃତ ହେଉଛନ୍ତି। ଏହାଦ୍ବାରା ଗରିବ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର ହୋଇପାରିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଲେ ଯେ କେନ୍ଦ୍ରାପଡା ହେଉଛି ବିଜୁ ବାବୁଙ୍କ କର୍ମ ଭୂମି । କେନ୍ଦ୍ରାପଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଦୃଷ୍ଟି ରହିଛି। ଆଜି କେନ୍ଦ୍ରାପଡା ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲ ଖୁଣ୍ଟ ସ୍ଥାପିତ ହୋଇଛି ବୋଲି ସେ କହିଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ଆଜି କେନ୍ଦ୍ରାପଡାବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ । ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଦେଇଛନ୍ତି । ଜିଲ୍ଲାର ସମସ୍ତ ହେଲ୍‌ଥ ସେଣ୍ଟରର ଭିତ୍ତିଭୂମିର ଉନ୍ନତି ପାଇଁ ଅର୍ଥ ଯୋଗାଇ ଦେଇଛନ୍ତି। ।

କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ତାଙ୍କ ବକ୍ତବ୍ୟରେ କେନ୍ଦ୍ରାପଡାରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲାପାଳ ଅମୃତ ଋତୁରାଜ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲା ପରିଷଦର ସିଡିଏମ୍‌ଓ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.