ଟଙ୍କା ବାଣ୍ଟୁଥିବା ଏସ୍‌ଏଚ୍‌ଜି ମହିଳାଙ୍କୁ ଗିରଫ କରାଯାଉ: ବିଜେପି

add-all

ଭୁବନେଶ୍ବର : ଧାମନଗରରେ ପୁଲିସର ପକ୍ଷପାତିତା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିରବତା କାରଣରୁ ଶାସକ ବିଜେଡି ଖୋଲାଖୋଲି ଆଦର୍ଶ ଆଚରଣ ବିଧି ନିୟମ ଉଲ୍ଲଂଘନ କରୁଛି। ଏସ୍‌ଏଚ୍‌ଜି ମହିଳା ଘର ଘର ବୁଲି ଟଙ୍କା ବାଣ୍ଟୁଛନ୍ତି। ଟଙ୍କା ବାଣ୍ଟୁଥିବା ଏସ୍‌ଏଚ୍‌ଜି ମହିଳାଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି ରବିବାର ଦିନ ସିଇଓଙ୍କ ନିକଟରେ ଦାବି କରିଛି।

ବିଜେପି ଅଭିଯୋଗ କରିଛି ଯେ ବିଜେଡିର ମନ୍ତ୍ରୀ, ନେତା ଓ କର୍ମୀମାନେ ମିସନ ଶକ୍ତି, ଅଙ୍ଗନବାଡି କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରଖୁଛନ୍ତି। ମିସନ ଶକ୍ତି ମହିଳାମାନେ ମତଦାତାଙ୍କ ଘର ଘର ବୁଲି ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ ହେଉଛି। ବିଜେଡି ସଭାରେ ଯେଉଁ ଲୋକ ଆସୁଛନ୍ତି ସେମାନଙ୍କୁ ଏସ୍‌ଏଚ୍‌ଜି ମହିଳା ଟଙ୍କା ବାଣ୍ଟି ଭୋଟ ଦେବାକୁ ପ୍ରଲୋଭିତ କରୁଛନ୍ତି। ସମସ୍ତ ତଥ୍ୟ ଓ ପ୍ରମାଣ ସିଇଓଙ୍କୁ ପ୍ରଦାନ କରାଯାଇଛି। ଆସନ୍ତା ୪୮ ଘଣ୍ଟା ଭିତରେ ଧାରା ୧୨୩ / ୧୭୧-ଇ ଅନୁଯାୟୀ ସଂପୃକ୍ତ ମହିଳାଙ୍କୁ ଗିରଫ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ।

ରବିବାରଦିନ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ୍ ପ୍ରମୁଖ ସିଇଓଙ୍କୁ ଦାବିପତ୍ର ଦେଇଥିଲେ। ସେହିପରି ଏହି ପ୍ରସଙ୍ଗରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଏବଂ ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ ଆଜି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।

ad-week
Leave A Reply

Your email address will not be published.