ପିପିଲିରେ ଗୁଳିମାଡ ଘଟଣା, ଜଣେ ଅଭିଯୁକ୍ତ ଅଟକ

add-all

ପିପିଲି: ଯୁବତୀଙ୍କୁ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ପିପିଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ରରୂପ ଧାରଣ କରିଛି। ଦୀପାବଳୀରେ ସ୍ପଷ୍ଟ ଦିବାଲୋକରେ ଉଜାଣିପଡା ଗ୍ରାମର ସନାତନ ପ୍ରଧାନ ଓରଫ ସାନୁ (୩୦)କୁ ଗୁଳିମାଡ ହୋଇଛି। ଗୁରୁତର ଅବସ୍ଥାରେ ପୁଲିସ ତାଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ପରେ ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ତାଙ୍କ ଡାହାଣ ଗୋଡର ଜଂଘରେ ଗୁଳି ପଶିଥିବା ସୂଚନା ମିଳିଛି।

ଏହାକୁ ନେଇ ପିପିଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପିପିଲିରେଅଢେଇ ପ୍ଲାଟୁନ୍‍ ପୁଲିସ ଫୋର୍ସ ଓ ୫ ଇନିସପେକ୍ଟର ମୁତୟନ କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ ମୂତୟନ ରହିଥିବା ବେଳେ ଘନ ଘନ ପୁଲିସ ଗାଡି ସମଗ୍ର ପିପିଲି ପୌରାଞ୍ଚଳରେ ପଇଁତରା ମାରୁଛି ଓ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ମଙ୍ଗଳବାର ପୁରୀ ଏସ୍‍ପି ଡକ୍ଟର କନୱର ବିଶାଲ ସିଂହ ପିପିଲି ଥାନାରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅଭିଯୁୂକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରିଛି। ଏହି ଗୁଳିକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚୁରା ଜାରି ରଖିଥିବା ସୂଚନା ମିଳିଛି। ତେବେ ପିପିଲିର ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧିନ ଥିବା ବେଳେ ପରିସ୍ଥିତି ପ୍ରତି ପୁଲିସ କଡା ନଜର ରଖିଥିବା ସଂପର୍କରେ ଅତିରିକ୍ତ ଏସ୍‍ପି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.