ରାଜ୍ୟରେ ପ୍ରଥମ: ହାତୀଙ୍କୁ ଜଗିବ ଥର୍ମାଲ ଡ୍ରୋନ୍‌

add-all

କେନ୍ଦୁଝର : ବାରମ୍ବାର ହାତୀ ମୃତ୍ୟୁ ପାଇଁ ବଦ୍‌ନାମ ମୁଣ୍ଡାଇଥିବା କେନ୍ଦୁଝର ଜିଲ୍ଲାରେ ଏବେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଥର୍ମାଲ ‌ଡ୍ରୋନ୍‌ କ୍ୟାମେରା ବ୍ୟବହାର କରାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଗୁମୁରା ବିଟ୍‌ର ଚମକପୁରରେ ଏହାର ବ୍ୟବହାର କରାଯାଇଛି। ଏହି ଥର୍ମାଲ ଡ୍ରୋନ୍‌ ରାତିରେ ମଧ୍ୟ ୧୦୦ ମିଟର ଉଚ୍ଚତାରେ ରହି ହାତୀଙ୍କ ଗତିବିଧି ସମ୍ପର୍କରେ‌ ସୂଚନା ଦେବ। ହାତୀ ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କ ଶରୀର ତାପମାତ୍ରା ମଧ୍ୟ ଜଣାଇଦେବ। ଫଳରେ ହାତୀପଲ ଏବଂ ଅନ୍ୟ ବନ୍ୟଜନ୍ତୁମାନେ କେଉଁଠି ଓ କିପରି ଅଛନ୍ତି ତାହା ଜାଣିହେବ।

ଡିଏଫ୍‌ଓ ଏଚ୍‌ଡି ଧନରାଜ ଦେଇଥିବା ସୂଚନା ଅନୁସାରେ, ପୂର୍ବରୁ କେନ୍ଦୁଝର ସମେତ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କରେ ବନ ବିଭାଗ କର୍ମଚାରୀମାନେ ସାଧାରଣ ଡ୍ରୋନ୍‌ ବ୍ୟବହାର କରୁଥିଲେ। କେନ୍ଦୁଝର ଜିଲ୍ଲାରେ ପ୍ରଥମ ଥର ପାଇଁ ଥର୍ମାଲ ଡ୍ରୋନ ବ୍ୟବହାର ଆରମ୍ଭ ହୋଇଛି। ବିଶେଷ କରି ହାତୀମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଏଭଳି ବ୍ୟବସ୍ଥା ହୋଇଛି। ଏହି ଥର୍ମାଲ ଡ୍ରୋନ୍‌ ୧୦୦ମିଟର ଉଚ୍ଚରୁ ହାତୀମାନଙ୍କ ଶରୀର ତାପମାତ୍ରା ରେକର୍ଡ କରିପାରିବ। ବନ ବିଭାଗ କର୍ମଚାରୀ ହାତୀ ସଂଖ୍ୟା ନେଇ ଦେଉଥିବା ଦୈନଦିନ ରିପୋର୍ଟରେ ତାଳମେଳ ରହୁନାହିଁ। ଏହି ଡ୍ରୋନ୍‌ ଦ୍ବାରା ସଠିକ୍‌ ଭାବେ ହାତୀ ଗଣନା କରାଯାଇପାରିବ ବୋଲି ଶ୍ରୀ ଧନରାଜ କହିଛନ୍ତି।

ଗତ ୨୬ ତାରିଖରେ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଗୁମୁରା ବିଟ୍ ଚମକପୁରରେ ବନ ବିଭାଗ ପକ୍ଷରୁ ୧୦ଟି ହାତୀ ଥିବା ରିପୋର୍ଟ କରାଯାଇଥିଲା। ପରେ ସନ୍ଦେହ ହେବାରୁ ଥର୍ମାଲ ଡ୍ରୋନ୍‌ ବ୍ୟବହାର କରାଯାଇଥିଲା। ଏଠାରେ ୧୮ଟି ହାତୀ ଥିବା ସ୍ପଷ୍ଟ ହୋଇଥିଲା। ଏଥିରେ ଦୁଇଟି ଦନ୍ତା, ୯ଟି ମାଈ ଏବଂ ୭ଟି ଛୁଆହାତୀ ଥିବା ଜଣାପଡ଼ିଥିଲା। ପରେ ଡ୍ରୋନ୍‌ କ୍ୟାମେରା ସହାୟତାରେ ପାଟଣା ଏବଂ ଘଟଗାଁ ରେଞ୍ଜରେ ହାତୀ ଗଣନା କରାଯାଇଥିଲା। ଦୁଇ ରେଞ୍ଜରେ ୨୩ଟିକିଆ ହାତୀପଲ ଥିବା ଜଣାପଡ଼ିଥିଲା। ସେହିପରି ଏହି ଡ୍ରୋନ୍‌ କ୍ୟାମରା ଦ୍ୱାରା ଜଙ୍ଗଲରେ ଘୂରି ବୁଲୁଥିବା ଶିକାରୀଙ୍କ ଗତିବିଧି ସମ୍ପର୍କରେ ଜାଣି ହେବ। ଥର୍ମାଲ ଡ୍ରୋନ୍‌ ବ୍ୟବହାର ହେବା ଓଡ଼ିଶାରେ ପ୍ରଥମ ବୋଲି ଡିଏଫ୍‌ଓ ଶ୍ରୀ ଧନରାଜ କହିଛନ୍ତି।

ad-week
Leave A Reply

Your email address will not be published.