
ମାଲକାନଗିରି, ୧୧/୧/୨୩: ମାଲ୍ୟବନ୍ତ ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅଭିନବ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ “ଇତିହାସ ପୃଷ୍ଠାରେ ଅବିଭକ୍ତ କୋରାପୁଟ” ବିଷୟବସ୍ତୁ ନେଇ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ, ଶ୍ରୀ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିଥିଲେ । ମାଲକାନଗିରି ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଓ ଭାଷା ସବୁଥିରେ ସ୍ୱତନ୍ତ୍ରତା ଭରି ରହିଛି । ଏହି ସବୁ ବିଷୟରେ ଜାଣିବାକୁ ହେଲେ ଯୁବପିଢିଙ୍କୁ ଇତିହାସକୁ ଜାଣିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂ ମତ ପ୍ରକାଶ କରିଥିଲେ । ସେ ଆହୁରି ମଧ୍ଯ କହିଥିଲେ ଯେ ଆଜିର ଆଲୋଚନା ଚକ୍ର ବିଶେଷ ଭାବେ ଯୁବପିଢୀଙ୍କୁ ଅନୁପ୍ରାଣିତ କରିବ । ଏଠାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଶିଷ୍ଟ ଗବେଷକ ଡଃ ବିଜୟ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ଇତିହାସ ବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ । ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଶହୀଦ ଲକ୍ଷ୍ମଣ ନାୟକ, ତାମ୍ମା ଦୋରା, ବଙ୍ଗାରୁ ଦେବୀ, ସନୁ ମାଝୀ, ଭଗବାନ ଖେମୁଣ୍ଡୁ ଓ ରାଧାକୃଷ୍ଣ ବିଶ୍ୱାସରାୟଙ୍କ ଭଳି ମହାନ୍ ସ୍ଵାଧୀନତା ସଂଗ୍ରାମୀଙ୍କ ଭୂମିକା ବିଷୟରେ ସେ ଆଲୋକପାତ କରିଥିଲେ। ତା ସହ ମାଥିଲି ଓ ପାପଡାହାଣ୍ଡି ଗୁଳିକାଣ୍ଡର ଲୋମହର୍ଷଣକାରୀ ଘଟଣାକୁ ଯୁବପିଢୀଙ୍କୁ ଅବଗତ କରାଇଥିଲେ। ଗାନ୍ଧୀଙ୍କ ସତ୍ୟାଗ୍ରହ ଓ ବାଣୀ ସତ୍ୟାଗ୍ରହରେ ଉଦବୁଦ୍ଧ ହୋଇ ଜନଜାତି ପ୍ରଜାମାନେ କିଭଳି ସ୍ଵାଧୀନତା ସଂଗ୍ରାମରେ ପ୍ରମଖୁ ଭୂମିକା ଗ୍ରହଣ କରିଥିଲେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ରଖିଥିଲେ। ଉପ ଜିଲ୍ଲାପାଳ ତଥା ସାଂସ୍କୃତିକ କମିଟି ର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ସ୍ୱାଗତ ଭାଷଣ ପ୍ରଦାନ କରି ଏହାର ଉପାଦେୟତା ବିଷୟରେ କହିଥିଲେ ଓ ଡ଼ଃ ମିଶ୍ରଙ୍କ ଭଳି ଜଣେ ବିଚକ୍ଷଣ ଗବେଷକଙ୍କୁ ଆଜିର ପୀଢ଼ି ଶୁଣିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ, ଶ୍ରୀ ଅମୂଲ୍ୟ ପ୍ରଧାନ ଓ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ଷଡଙ୍ଗୀ ମଞ୍ଚାସୀନ ଥିଲେ। ମାଲକାନଗିରି ମହାବିଦ୍ୟାଳୟ ସମନ୍ୱୟ ସମିତି ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଏହା ଆୟୋଜିତ ହୋଇଯାଇଛି। ଅପରାହ୍ନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତା ଅୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ସାଂସ୍କୃତିକ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।