ଆସନ୍ତାକାଲିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର

add-all

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର କରାଯିବ। ଯେଉଁ ଗାଡ଼ିଗୁଡ଼ିକର ନମ୍ବରର ଶେଷ ସଂଖ୍ୟା ୧ରୁ ୬ ଥିବ ସେହି ଗାଡ଼ିଗୁଡ଼ିକ ଚେକିଂ ପରିସରକୁ ଆସିବ। ତେବେ ଚେକିଂର ପ୍ରଥମ ସପ୍ତାହରେ ନିୟମ ଖିଲାପକାରୀଙ୍କୁ କେବଳ ଚେତାବନୀ ଦେଇ ଛାଡ଼ି ଦିଆଯିବ। ପରବର୍ତୀ ସମୟରେ ଦ୍ୱିତୀୟ ଥର ପାଇଁ ସେହି ନିୟମଖିଲାପକାରୀ ଗାଡ଼ିଗୁଡ଼ିକ ଯଦି ପୁଣି ଚେକିଂରେ ପଡ଼ନ୍ତି ତେବେ ତାଙ୍କୁ ଆର୍ଥିକ ଜରିମାନା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜଣାଯାଇଛି।

ରାଜ୍ୟ ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲମୋହନ ସେଠୀଙ୍କ କହିବା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୦୨୨ ମସିହା ଜୁନ୍ ୩୦ ତାରିଖ ସୁଦ୍ଧା ରାଜ୍ୟରେ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବ୍ୟବସ୍ଥା ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କୋଭିଡ଼ ପରବର୍ତ୍ତୀ ସ୍ଥିତିକୁ ଗୁରୁତ୍ୱ ଦେଇ ଏହାର ସମୟସୀମାକୁ ୨୦୨୨ ମସିହା ଡ଼ିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତମାସ ୧୬ ତାରିଖଠାରୁ ଏହି ଚେକିଂ ବ୍ୟବସ୍ଥାକୁ ସାରା ରାଜ୍ୟରେ କଡ଼ାକଡ଼ି କରାଯିବା ପାଇଁ ନିଷ୍ପତି ହୋଇଛି।

ସେ ଆହୁରି କହିଛନ୍ତି ଯେ, ଯେଉଁ ଗାଡ଼ିଗୁଡ଼ିକର ପଞ୍ଜୀକୃତ ନମ୍ବରର ଶେଷ ସଂଖ୍ୟା ୧,୨,୩,୪,୫ ଓ ୬ ଥିବ ସେହି ଗାଡ଼ିଗୁଡ଼ିକ ଏବେ କେବଳ ଚେକିଂ ପରିସରକୁ ଆସିବେ । ସେହିଭଳି ଯେଉଁ ଗାଡ଼ି ନମ୍ବରର ଶେଷ ସଂଖ୍ୟା ୭ ଓ ୮ ଥିବ ସେମାନଙ୍କୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମହଲତି ମିଳିବ। ଫେବୃୟାରୀ ପହିଲାରୁ ଏହି ଗାଡ଼ିଗୁଡ଼ିକ ଚେକିଂ ପରିସରଭୁକ୍ତ ହେବେ। ସେହିଭଳି ଯେଉଁ ଗାଡ଼ି ନମ୍ବରର ଶେଷ ସଂଖ୍ୟା ୯ ଏବଂ ୦ ରହିଛି ସେମାନଙ୍କୁ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ମହଲତି ମିଳିବ। ଏହି ସମୟ ଭିତରେ ସମ୍ପୃକ୍ତ ଗାଡ଼ି ମାଲିକମାନେ ନିଜର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କରାଇ ନେବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ପରିବହନ ବିଭାଗର ସୂଚନା ଅନୁସାରେ, ଯେଉଁ ଗାଡ଼ିଗୁଡ଼ିକ ବହୁ ପୁରୁଣା ଓ ତିଆରି କରିଥିବା କମ୍ପାନୀ ବନ୍ଦ ହୋଇଯାଇଛି ସେମାନେ ବିଭିନ୍ନ ଆରଟିଓକୁ ଯାଇ ସେଠାରେ ଥିବା ହାଇ ସିକ୍ୟୁରିଟି କିଓସ୍କୋ ସହିତ ଯୋଗାଯୋଗ କରି ନମ୍ବର ପାଇପାରିବେ।

ad-week
Leave A Reply

Your email address will not be published.