ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସହ ଭିତିରିଆ ଆଲୋଚନା କରୁଛି ପାକିସ୍ତାନ.. !

Independence

ଇସଲାମାବାଦ : ଆର୍ଥିକସ୍ତରରେ କାଙ୍ଗାଳ ହେବାକୁ ବସିଥିବା ପାକିସ୍ତାନ ସ୍ଥିତି ଏବେ ବେହାଲ ହେବାରେ ଲାଗିଛି। ପାକିସ୍ତାନରେ ଜରୁରୀ ସାମଗ୍ରୀ ଠାରୁ ଆରମ୍ଭ କରି ସବୁ ଜିତିଷର ଦାମ ଆକାଶ ଛୁଆଁ ହେଲାଣି। ଏପରି ସ୍ଥିତିରେ ପାକିସ୍ତାନ ବ୍ୟାକ ଚ୍ୟାନେଲରେ ବା ଭିତିରିଆ ଭାବେ ଭାରତ ସହ ଆଲୋଚନା କରି ସାହାଯ୍ୟ ମାଗୁଥିବା ଏକାଧିକ ରିପୋର୍ଟ ପ୍ରକାଶ ପାଇଛି। ବିଶେଷ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ବୋଲି କହିବା ପରେ ଦୁଇ ଦେଶ ମଧ୍ୟରେ ବ୍ୟାକ ଚ୍ୟାନେଲରେ କଥାବାର୍ତ୍ତା ଆରମ୍ଭ ହୋଇଥିବା କୁହାଯାଉଛି।
କିନ୍ତୁ ଏହି ରିପୋର୍ଟକୁ ପାକିସ୍ତାନର ଜୁନିୟର ବୈଦେଶିକ ମନ୍ତ୍ରୀ ହୀନା ରାବାନି ଖର ଖଣ୍ଡନ କରିଛନ୍ତି। ଏପ୍ରିଲ ମାସରୁ ଶରିଫ ସରକାର କ୍ଷମତାକୁ ଆସିବା ପରଠାରୁ ଭାରତ ସହ ପାକିସ୍ତାନ କେବେ ହେଲେ ବ୍ୟାକ ଚ୍ୟାନେଲରେ କୌଣସି ପ୍ରକାରର କୂଟନୀତିକ ଆଲୋଚନା କରିନାହିଁ ବୋଲି ସେ କହିଛନ୍ତି।
ନିକଟରେ ଶରିଫ କହିଥିଲେ ଯେ ଭାରତ ସହ ୩ଟି ଯୁଦ୍ଧ କରି ପାକିସ୍ତାନ ଉପଯୁକ୍ତ ଶିକ୍ଷା ପାଇଛି ଓ ଏବେ ପାକିସ୍ତାନ ଶାନ୍ତି ପ୍ରତିଷ୍ଠା ପାଇଁ ଚାହଁଛି। ଏହି ବୟାନକୁ ନେଇ ପାକିସ୍ତାନରେ ଶରିଫଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଭାରତ ଆଗରେ ପାକିସ୍ତାନ ହାତ ଯୋଡ଼ିଥିବା ବିରୋଧୀମାନେ କହିଥିଲେ। ଏହାକୁ ନେଇ ବ୍ୟାକଫୁଟରେ ଥିବା ଶରିଫ ସରକାର ଏବେ ପୂରା ଘଟଣାରେ ତାଳି ପକାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
ଏହିକ୍ରମରେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପାଇଁ ମନ୍ତ୍ରୀ ହୀନା ଭାରତକୁ ଦାୟୀ କରିଛନ୍ତି। ସେ କହିଛନ୍ତି, “ଆମେ ପାଉଥିବା ମେସେଜ ସବୁ ଅତ୍ୟନ୍ତ ଉତ୍ତେଜନା ସୃଷ୍ଟିକାରୀ ଓ ବିଭ୍ରାନ୍ତିକର। ପାକିସ୍ତାନ ସବୁବେଳେ ପୂରା ଅଞ୍ଚଳର ସ୍ୱାର୍ଥ ଉପରେ ଗୁରୁତ୍ୱ ଦେଇ ଚାଲିଛି। କିନ୍ତୁ ଆମ ପଡ଼ୋଶୀ ଦେଶର ସରକାର ଏହା ଚାହୁଁନାହାନ୍ତି। ଆମ ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ସେମାନଙ୍କ ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ରଖାଯାଇନି। ତେଣୁ ଏପରି ସ୍ଥିତିରେ ଆମେ କ’ଣ କରିବୁ?”
ଚଳିତ ବର୍ଷ ମେ’ ମାସରେ ଗୋଆରେ ଏସ୍‌ସିଓ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ଭାରତ ସରକାର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଓ ପାକିସ୍ତାନ ପ୍ରଧାନ ବିଚାରପତି ଜଷ୍ଟିସ ଉମର ଅଟା ବନ୍ଦିଆଲଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ଭାରତ ସରକାର ପାକ୍‌ ପ୍ରଧାନମନ୍ତ୍ରୀ ଶରିଫଙ୍କୁ ମଧ୍ୟ ନିମନ୍ତ୍ରଣ କରିବାକୁ ଚିନ୍ତା କରୁଛନ୍ତି।
ଏହି ସବୁ ଭିତରେ ହିଁ ମନ୍ତ୍ରୀ ହୀନା ଏପରି ବୟାନ ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶରିଫ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ପାକିସ୍ତାନରେ ବିବାଦ ବଢ଼ୁଥିବାରୁ ପାକିସ୍ତାନ ପିଏମଓ ଅଫିସର ନିଜର ଆଭିମୁଖ୍ୟ ବଦଳାଇଥିଲା। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ ୨୦୧୯ ଅଗଷ୍ଟ ମାସରେ ଜମ୍ମୁ-କଶ୍ମୀରରେ ଭାରତ ସରକାର ନେଇଥିବା ପଦକ୍ଷେପକୁ ବଦଳାଇବା ପରେ ହିଁ ପାକିସ୍ତାନ ଅଧିକାରୀ ନୂଆଦିଲ୍ଲୀ ସହ ଆଲୋଚନା କରିବେ।
ଏହାପୂର୍ବରୁ ଆଲୋଚନା ସମ୍ଭବ ନୁହେଁ। ମନ୍ତ୍ରୀ ହୀନା ଗୁରୁବାର ପାକିସ୍ତାନ ସଂସଦକୁ ମଧ୍ୟ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ “ପାକିସ୍ତାନ ସବୁବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛି। ବର୍ତ୍ତମାନ ସମୟରେ ଭାରତ ସହ କୌଣସି ପ୍ରକାରର ବ୍ୟାକ ଚ୍ୟାନେଲ ଆଲୋଚନା ହୋଇନି।”

ad-week
Leave A Reply

Your email address will not be published.