ଗୁପ୍ତେଶ୍ୱର ପୀଠର ଉନ୍ନୟନ ନେଇ ଅଧିକାରୀଙ୍କ ସହ ଆଲୋଚନା କଲେ ୫-ଟି ସଚିବ…

add-all

ବୈପାରିଗୁଡ଼ା: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଆଜି ଅପରାହ୍‌ଣରେ ପ୍ରସିଦ୍ଧ ଶୈବପୀଠ ‘ଗୁପ୍ତେଶ୍ୱର’ ପରିଦର୍ଶନ କରିଛନ୍ତି। ଦିନିକିଆ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଗସ୍ତରେ ଶ୍ରୀ ପାଣ୍ଡିଆନ୍‌ ଗୁପ୍ତେଶ୍ବରଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଛନ୍ତି। ଶ୍ରୀ ପାଣ୍ଡିଆନ ମଧ୍ୟାହ୍ନ ସାଢେ ଗୋଟାଏ ସମୟରେ ହେଲିକପ୍ଟର ଯୋଗେ ରାମଗିରି ଠାରେ ଅବତରଣ କରିବା ପରେ ସେଠାରୁ କାର୍ ଯୋଗେ ଗୁପ୍ତେଶ୍ୱର ଯାଇଥିଲେ। ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା ସାରି ଗୁପ୍ତେଶ୍ୱର ପୀଠର ଉନ୍ନତିକରଣ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ରାସ୍ତା ଏବଂ ଗୃହ ବିଭାଗ ତରଫରୁ ପ୍ରସ୍ତୁତ ନକ୍ସାର ଗୁପ୍ତେଶ୍ୱର ପୀଠର ଉନ୍ନତିକରଣ କାର୍ଯ୍ୟ ତଦାରଖ କରିବା ସହ ଯଥାଶୀଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସାବେରୀ ନଦୀ କୂଳରେ ପହଞ୍ଚି ଗୁପ୍ତେଶ୍ୱରର ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। ଏହି ଅବସରରେ ବୈପାରିଗୁଡା ଜୋନ୍ -୧ ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ବର ମହୁରିଆ ଏବଂ ଗୁପ୍ତେଶ୍ୱର ପଞ୍ଚାୟତ ସମିତି ସଭ୍ୟ ବିଭୀଷଣ ହନ୍ତାଳ ଶ୍ରୀ ପାଣ୍ଡିଆନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଦାବିପତ୍ରରେ ଗୁପ୍ତେଶ୍ୱର ପୀଠର ପରିଚାଳନା ଦାୟିତ୍ଵ ଜୟପୁର ଦେବୋତ୍ତର ବିଭାଗ ଅଧିନରେ ରହିଥିବା ବେଳେ ଏହାର ପରିଚାଳନା ଦାୟିତ୍ଵ ବୈପାରିଗୁଡା ତହସିଲଦାରଙ୍କୁ ପ୍ରଦାନ କରାଯାଉ। ସୀତା କୁଣ୍ଡ ଏବଂ ରାମ କୁଣ୍ଡର ପୁନରୁଦ୍ଧାର କରାଯାଉ। ଅଗ୍ନିକୁଣ୍ଡ ଯାଏ ରାସ୍ତା ନିର୍ମାଣ ନେଇ ଦାବି କରାଯାଇଛି। ଗୁପ୍ତେଶ୍ୱର ପୀଠରେ ଔଷଧୀୟ ବୃକ୍ଷ ରୋପଣ କରାଯିବା ସହ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ମଧ୍ୟ ଅନୁରୋଧ କରାଯାଉଛି। ଏଥିସହ ପାହାଚ ଚଢ଼ି ପାହାଡ଼ର ଶୀର୍ଷ ଦେଶରେ ରହିଥିବା ଗୁମ୍ଫା ଯାଏ ପହଞ୍ଚି ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ରହିଥିବା ପାହାଚ ଚଢ଼ିବା ବୃଦ୍ଧ ବୃଦ୍ଧାଙ୍କ ପାଇଁ ସମ୍ଭବ ହେଉନଥିବାରୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ମଧ୍ୟ ଦାବି କରାଯାଇଛି। ସଚିବଙ୍କ ସହ କୋରାପୁଟ ଜିଲ୍ଲାପାଳ ଅବଦୁଲ ଅହମ୍ମଦ ଅକତର ଉପସ୍ଥିତ ରହିଥିବା ବେଳେ ବିଡ଼ିଓ ଅଭିମନ୍ୟୁ କବି ଶତପଥୀ, ରାସ୍ତା ଏବଂ ଗୃହ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ତଥା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.