୫ ଜିଲାକୁ ଘନ କୁହୁଡ଼ି ସତର୍କତା, ୩ ଡିଗ୍ରୀ ଖସିବ ପାରଦ

add-all

ଭୁବନେଶ୍ବର: ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। କୁହୁଡ଼ି ଯୋଗୁଁ ମୁହଁକୁ ମୁହଁ ଦେଖାଯାଇ ନଥିଲା। ଭୋର୍‌ ସମୟରୁ ସକାଳ ୭ଟା ପର୍ଯ୍ୟନ୍ତ ଗାଡ଼ିମଟର ଗମନାଗମନରେ ସମସ୍ୟା ଉପୁଜିଥିଲା। ଚାନ୍ଦବାଲି, କଟକ ଏବଂ ଗୋପାଳପୁରରେ ଘନ କୁହୁଡ଼ି ପ୍ରଭାବରେ ଜନଜୀବନ ବାଧାପ୍ରାପ୍ତ ହୋଇଛି। ବିଳମ୍ବିତ ରାତିରୁ ରାଜଧାନୀରେ କୁହୁଡ଼ି ପଡ଼ିବା ଆରମ୍ଭ କରିଥିବାବେଳେ ପାରାଦୀପ, ଭୁବନେଶ୍ବର, ପୁରୀ ଏବଂ ଅନୁଗୋଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତାକାଲି ସକାଳେ ଅନୁଗୋଳ, କଟକ, ଢେଙ୍କାନାଳ, ଯାଜପୁର ଏବଂ ଭଦ୍ରକରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।

ଏଥିସହିତ ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା ଏବଂ କୋରାପୁଟରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬.୬ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ୯ଡିଗ୍ରୀ, ଭୁବନେଶ୍ବର ୨୦.୨ ଡିଗ୍ରୀ ଏବଂ କଟକରେ ୧୯.୫ ଡିଗ୍ରୀ ରହିଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଭୁବନେଶ୍ବର ସମେତ ଅନେକ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇଥିବାରୁ ୩ଡିଗ୍ରୀ ରାତି ତାପମାତ୍ରା ହ୍ରାସ ପାଇଲେ ମଧ୍ୟ ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।

ad-week
Leave A Reply

Your email address will not be published.