ମଝି ଚିଲିକାରେ ୫୦ ଯାତ୍ରୀଙ୍କ ସହ ଫସିଲା ଡଙ୍ଗା

add-all

ବ୍ରହ୍ମଗିରି: ମଝି ଚିଲିକାରେ ଯାତ୍ରୀଙ୍କ ସହିତ ଭସାପୋଲ ଫସିବାର ୨୪ ଘଣ୍ଟା ନ ପୁରୁଣୁ ପୁଣି ଏକ ଡଙ୍ଗା ୫୦ ଯାତ୍ରୀଙ୍କ ସହିତ ଫସିଛି । ଦୀର୍ଘ ଘଣ୍ଟାଏ ଧରି ଡଙ୍ଗାଟି ଫସିବା ପରେ କୂଳକୁ ଫେରିଛି । ଖବର ନେବାରେ ଜଣାପଡିଛି ଆଜି ଅପରାହ୍ନରେ ପୁରୀ ଜିଲ୍ଲା ସାତପଡା ଘାଟରୁ ଏକ ଯାତ୍ରୀବାହି ଡଙ୍ଗା ୫୦ ଜଣ ଯାତ୍ରୀ ଓ ୩୦ଟି ବାଇକ ନେଇ ଜହ୍ନିକୁଦା ଘାଟକୁ ବାହାରି ଥିଲା। ଡଙ୍ଗାଟି ସାତପଡା ଘାଟରୁ ଏକ କିଲୋମିଟର ଯିବା ପରେ ମଝି ଚିଲିକାରେ ମାଟିକୁଦରେ ଲାଗି ଫସି ଯାଇଥିଲା। ଫଳରେ ଯାତ୍ରୀଙ୍କ ସହିତ ଡଙ୍ଗାଟି ଅଟକି ରହିଥିଲା। ସ୍ଥାନୀୟ ମତ୍ସ୍ୟଜୀବୀମାନେ ଡଙ୍ଗା ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଫସି ଥିବା ଡଙ୍ଗାରୁ ଯାତ୍ରୀଙ୍କ ଉଦ୍ଧାର କରି କୂଳକୁ ନେଇଥିଲେ ।

ଏହା ପରେ ଫସିଥିବା ଡଙ୍ଗାଟି କୁଦରୁ ବାହାରି କୂଳକୁ ଫେରିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ କୂଳକୁ ଫେରିଛନ୍ତି । ଚିଲିକାରେ ପାଣି କମ ଥିବାରୁ ଡଙ୍ଗା କୁଦରେ ଲାଗି ଫସି ରହୁଥିବା ଜଣାପଡିଛି । ଅନ୍ୟପଟେ କ୍ଷମତା ଠାରୁ ଅଧିକ ଯାତ୍ରୀ ନେବା ଫଳରେ ଡଙ୍ଗା ଭାରସାମ୍ୟ ହରାଇ କୁଦରେ ଲାଗୁଥିବା ଜଣାପଡିଛି । ସେପଟେ ଡଙ୍ଗାରେ ଥିବା ଯାତ୍ରୀ ଲାଇଫ ଜ୍ୟାକେଟ ପିନ୍ଧି ନ ଥିବାରୁ ବିପଦ ଆଶଙ୍କା ମଧ୍ୟ ବଢୁଥିବା ଜଣାପଡିଛି ।

ad-week
Leave A Reply

Your email address will not be published.