ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

add-all

ଭୁବନେଶ୍ବର: ଓଡ଼ିଶା କଳାର ଭୂମି। ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଜନସାଧାରଣ, ବିଶେଷ କରି ଯୁବ ସମାଜ, ଛାତ୍ର ସମାଜ ତଥା ପର୍ଯ୍ୟଟକମାନେ ଯେପରି ଆମ କଳା ଓ ସଂସ୍କୃତି ସହିତ ଭଲ ଭାବରେ ପରିଚିତ ହୋଇପାରିବେ, ସେ ଦୃଷ୍ଟିରୁ ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏତଦ୍‌ବ୍ୟତୀତ ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରମାନଙ୍କ ପାଇଁ ସଂଗ୍ରହାଳୟରେ ପ୍ରବେଶ ନିମନ୍ତେ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ରାଜ୍ୟରେ ଥିବା ସଂଗ୍ରହାଳୟଗୁଡିକ ଯେପରି ଅଧିକ ଲୋକପ୍ରିୟ ହେବ ଏବଂ ପର୍ଯ୍ୟଟକମାନେ ସେଗୁଡିକ ପରିଦର୍ଶନର ସୁଯୋଗ ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ବରରେ ରାଜ୍ୟ ସଂଗ୍ରହାଳୟ ସହିତ କଳାଭୂମି, ଆଦିବାସୀ ସଂସ୍କୃତି ଓ ଗବେଷଣା ସଂଗ୍ରହାଳୟ, କଟକରେ ସାମୁଦ୍ରିକ ସଂଗ୍ରହାଳୟ ତଥା ବିଭିନ୍ନ ଜିଲ୍ଲାରେ ଅନେକ ସଂଗ୍ରହାଳୟ ରହିଛି। ଏଗୁଡିକୁ ଲୋକପ୍ରିୟ କରିବା ପାଇଁ ଏବଂ ପରିଦର୍ଶକମାନଙ୍କୁ ଆକୃଷ୍ଟ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସହାୟକ ହେବ ବୋଲି ଆଶା କରାଯାଉଛି ।

ad-week
Leave A Reply

Your email address will not be published.